୪୩.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର

ମେ’ ପହିଲା ଯାଏ ହିଟ୍‌ୱେଭ୍ ଆଲର୍ଟ

ସାରା ରାଜ୍ୟକୁ କଲବଲ କରୁଛି ପ୍ରଚଣ୍ଡ ଖରା। ଗତକାଲି ଭଳି ଆଜି ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି। ୪୩.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଗତକାଲି ଭୁବନେଶ୍ୱର ତାପମାତ୍ରା ରେକର୍ଡ ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲେ ହେଁ ବାୟୁମଣ୍ଡଳରେ ପ୍ରବଳ ଆର୍ଦତା ରହିଛି। ତେଣୁ ଲୋକମାନେ ପ୍ରବଳ ଗରମ ଅନୁଭବ କରୁଛନ୍ତି। ଭୁବନେଶ୍ୱର ପଛକୁ କେନ୍ଦୁଝରରେ ପାରଦ ୪୨.୭, ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୦.୬, ଝାରସୁଗୁଡ଼ାରେ ୩୯.୯, ସମ୍ବଲପୁରରେ ୩୯.୪, ହୀରାକୁଦରେ ୩୭.୮, ପୁରୀରେ ୩୪.୯, ଗୋପାଳପୁରରେ ୩୪.୨ ଓ ପାରାଦୀପରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ତାତି ଓ ଗୁଳୁଗୁଳିରୁ ଆସନ୍ତା ୧ ତାରିଖ ପର୍ୟ୍ୟନ୍ତ ନିସ୍ତାର ନାହିଁ। ସାମୁଦ୍ରିକ ବାୟୁର ପ୍ରବାହ ଯୋଗୁ ୨ରୁ ୪ ତାରିଖ ପର୍ୟ୍ୟନ୍ତ ତାପମାତ୍ରା ସାମାନ୍ୟ କମିପାରେ। ତେବେ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବନି। ଦିନ ସାଢ଼େ ୧୧ ପର୍ୟ୍ୟନ୍ତ ଗୁଳୁଗୁଳି ଅଧିକ ରହିବ। ଏହାପରେ ତାତି ବଢ଼ିବ ବୋଲି ସେ ଆକଳନ କରିଛନ୍ତି। ସେହିପରି ଏପ୍ରିଲ ଓ ମେ’ ମାସରେ ବଡ଼ ବର୍ଷା କିମ୍ବା କାଳବୈଶାଖୀର ସମ୍ଭାବନା ନାହିଁ। ତେଣୁ ତାପମାତ୍ରା ହ୍ରାସ ପାଇବାର କୌଣସି ଆଶା ନାହିଁ ବୋଲି ସେ କହିଛନ୍ତି।