ଆକାଶରୁ ନିଆଁ ବର୍ଷା

ଟ୍ୱିନସିଟିକୁ ରେଡ ଆଲର୍ଟ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଖରା। ଲାଗୁଛି ଯେମିତି ଆକାଶରୁ ନିଆଁ ବର୍ଷା ହେଉଛି। ବାହାରକୁ ବାହାରିବା ବି ମୁସ୍କିଲ ହେଉଛି। ବାହାରକୁ ବାହାରିଲେ ଦେହ ଜଳି ଗଲା ଭଳି ଲାଗୁଛି । ଗ୍ରୀଷ୍ମପ୍ରବାହ ପାଇଁ ଟ୍ୱିନସିଟିକୁ ରେଡ ଆଲର୍ଟ ଜାରି କରାଯାଇଛି। ଆହୁରି ୪ ଦିନ ରହିବ ହିଟ୍ ୱେଭ । ୩୦ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଅସହ୍ୟ ତାତି ପାଇଁ ଉତର ଓଡ଼ିଶା, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୨୪ ଘଂଟା ପାଇଁ ମୟୂରଭଂଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହ କୋରାପୁଟ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।