ଭୁବନେଶ୍ବରର ୭ଟି ସ୍ଥାନରେ ହେବ ରାବଣ ପୋଡ଼ି କାର୍ଯ୍ୟକ୍ରମ
ବିଜୟା ଦଶମୀ ଅବସରରେ ରାଜଧାନୀ ଭୁବନେଶ୍ୱରରେ ୭ଟି ପ୍ରମୁଖ ସ୍ଥାନରେ ‘ରାବଣ ପୋଡ଼ି ଉତ୍ସବ’ ପାଳନ ହେବ। ଏହି ଉତ୍ସବ ଦେଖିବା ଲାଗି ବହୁ ଲୋକଙ୍କ ଭିଡ଼ ଆଶଙ୍କା ରହିଛି।ଟ୍ୱିନ ସିଟି କମିଶନରେଟ ପୋଲିସ ସୂଚନା ଅନୁଯାୟୀ, ନହରକଣ୍ଟା (ପାହାଳ ଥାନା), ବରମୁଣ୍ଡା (ଖଣ୍ଡଗିରି ଥାନା), କୋରଡ଼ାକଣ୍ଟା (ବଡ଼ଗଡ଼ ଥାନା), ବାଙ୍କୁଆଲ (ବଡ଼ଗଡ଼ ଥାନା), ଗୋପାଳପୁର (ଇନ୍ଫୋ-ଭ୍ୟାଲି ଥାନା), କିଟ୍ସ ରୋଡ଼ (ଇନ୍ଫୋସିଟି ଥାନା) ଓ ଫୁଟବଲ ଗ୍ରାଉଣ୍ଡ (କପିଳାପ୍ରସାଦ ଏୟାରଫିଲ୍ଡ ଥାନା)ରେ ରାକ୍ଷସ ରାଜା ରାବଣର ପୁତ୍ତଳା ପୋଡ଼ାଯିବ।
ଏହି ଉତ୍ସବ ରାମାୟଣରେ ଭଗବାନ ରାମଙ୍କ ରାବଣ ଉପରେ ବିଜୟର ପ୍ରତୀକ ଭାବେ ଦୁଷ୍ଟ ଉପରେ ସତ୍ୟର ଜୟକୁ ଦର୍ଶାଏ।ଚଳିତ ବର୍ଷ ଭୁବନେଶ୍ୱରରେ ୧୯୩ଟି ପୂଜା ପେଣ୍ଡାଲ ହୋଇଛି। ଉତ୍ସବ ସୁଚାରୁ ପାଳନ ପାଇଁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ପେଣ୍ଡାଲରେ ସିସିଟିଭି ଲାଗିଛି। ୩ ଜଣ ଡିସିପି, ୬ ଜଣ ଅତିରିକ୍ତ ଡିସିପି, ୧୨ ଡିଏସ୍ପି, ୩୩ ଇନ୍ସପେକ୍ଟର, ୧୭୨ ଏସଆଇ/ଏଏସଆଇ, ୩୮ ପ୍ଲାଟୁନ ପୁଲିସ ଓ ୨୦ ପ୍ଲାଟୁନ ହୋମଗାର୍ଡ ନିୟୋଜିତ ହେବେ। ଏକ କମ୍ପାନୀ ସିଏପିଏଫ, ସ୍ପେଶାଲ ଟାକ୍ଟିକାଲ ୟୁନିଟ ଓ ବୋମା ଡିଟେକ୍ସନ ସ୍କ୍ୱାଡ଼ ମଧ୍ୟ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି।
