ରଥଯାତ୍ରା ପରଦିନ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର

ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର । ଅର୍ଥାତ ରଥଯାତ୍ରା ପରଦିନ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ୨୦୧୮ ରିପୋର୍ଟ ଏବଂ ଲେଜର ସ୍କାନିଂ ଆଧାରରେ ଖୋଲାଯିବ । ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ଏହି ଲେଜର ସ୍କାନିଂରେ କ୍ରାକ୍‌ ଥିବା ଜଣାପଡିଛି, ପାଣି ଜକଉ ଥାଇପାରେ । ତେବେ ମୌସୁମୀ ବର୍ଷା ଆଗକୁ ଆରମ୍ଭ ହେବ । ତେଣୁ ସେହି କ୍ରାକ୍‌ ମାଧ୍ୟମରେ ପାଣି ରତ୍ନଭଣ୍ଡାର ମଧ୍ୟକୁ ଯାଇପାରେ । ବୋଲି କହିଛନ୍ତି ଏଏସଆଇ ସୁପରଟେଣ୍ଡେଣ୍ଟ ଡିବି ଗଡ଼ନାୟକ । ରତ୍ନଭଣ୍ଡାର ଖୋଲିବା ବେଳେ ସ୍ୱତନ୍ତ୍ର ଟିମ୍‌ ଓ ଟେକ୍ନିକାଲ ଟିମ୍‌ ଉପସ୍ଥିତି ରହିବେ । ୨୦୧୮ରେ ଯେତେବେଳେ ପ୍ରଥମ ରତ୍ନଭଣ୍ଡାର ଖୋଲାଯାଇଥିଲା ସେ ସମୟରେ ଦେଖିବାକୁ ମିଳିଥିଲା ଯେ କାନ୍ଥରେ କ୍ରକ୍‌ ରହିଛି ଓ ପଥର ଖଣ୍ଡ ପଡ଼ିଛି । ଏଭଳି ସ୍ଥିତିରେ ଯେତେଶୀଘ୍ର ଖୋଲାଯାଇ କାମ ହେଲେ ମନ୍ଦିର ଓ ରତ୍ନଭଣ୍ଡାର ପାଇଁ ଭଲ। ରତ୍ନଭଣ୍ଡାର ଖୋଲାଯାଇ ଅନୁଧ୍ୟାନ ପରେ ମରାମତି କରାଯିବ ବୋଲି ସେ କହିଛନ୍ତି । କ୍ଷମତାକୁ ଆସିଲେ ରତ୍ନଭଣ୍ଡାର ଖୋଲିବା ପ୍ରତିଶ୍ରୁତି ଦେଇଥିଲା ବିଜେପି । ଶପଥ ନେବାର କିଛି ଘଣ୍ଟା ପରେ ଚାରିଦ୍ୱାର ଖୋଲିଛନ୍ତି ମୋହନ ସରକାର । ଆଉ ଏବେ ଖୋଲିବ ରତ୍ନଭଣ୍ଡାର । ଏହାପୂର୍ବରୁ ୧୯୦୫, ୧୯୨୬, ୧୯୭୮ ଏବଂ ୧୯୮୫ ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ଯାଇଥିଲା। ୧୯୭୮ରେ ତତ୍କାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା । ସେତେବେଳେ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ୧୯୭୮ ମସିହା ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା । ଏହି ତଥ୍ୟ ଏବେ ବି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି । ଉକ୍ତ ତଥ୍ୟ ମୁତାବକ ୧୨,୮୩୧ ଭରି ୧ଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ସୁମାରି କରାଯାଇଥିବାବେଳେ ୨୨,୧୫୩ ଭଳି ଓଜନର ମୂଲ୍ୟବାନ ପଥର ସହିତ ରୂପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଗଣତି କରାଯାଇଥିଲା । ଗୋଟିଏ ଭରିର ଓଜନ ୧୧.୬୬ ଗ୍ରାମ ବୋଲି କୁହାଯାଉଥିବାରୁ ସେତେବେଳେ ସୁମାରି ହୋଇଥିବା ମୂଲ୍ୟବାନ ପଥର ସହିତ ସ୍ୱର୍ଣ୍ଣ ସାମଗ୍ରୀର ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିଲା । ସେହିପରି ମୂଲ୍ୟବାନ ପଥର ସହିତ ରୂପା ସାମଗ୍ରୀର ଓଜନ ୨୫୮ କିଲୋ ୩୦୩ ଗ୍ରାମରୁ ଅଧିକ ରହିଥିବା ଜଣାପଡିଥିଲା । ଯଦି ୧୯୮୫ରେ ରତ୍ନଭଣ୍ଡାର ଖୋଲାଯାଇଥିଲା ତେବେ ସେତେବେଳେ ଚାବି କେଉଁଠି ରହିଥିଲା, କିଏ ଖୋଲିଥିଲା ଏବଂ ପୁଣି କିଏ ସବମିଟ କରିଥିଲା । ତାହା ଏବେ ବଡ଼ ପ୍ରଶ୍ନ ।