୧୭ ତାରିଖରୁ ରତ୍ନଭଣ୍ଡାର ମରାମତି
ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଆରମ୍ଭ ହେବ ମରାମତି କାମ । ଏଥିପାଇଁ ଦ୍ୱାର ଫିଟା ନୀତି ରାତି ୨ଟାରୁ ଆରମ୍ଭ ହେବ । ଦିନ ଗୋଟାଏରୁ ସଂଧ୍ୟା ୫ଟା/୬ଟା ଯାଏଁ ଚାଲିବ କାମ । ଶନିବାର, ରବିବାର ଓ ବିଶେଷ ଦିନରେ ମରାମତି ନ କରିବାକୁ ପରାମର୍ଶ ଦିଆଯାଇଛି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦିନ ୧ଟାରୁ ସଂଧ୍ୟା ୫/୬ଟା ଯାଏଁ ମରାମତି କାମ ହେବ । ମରାମତି ଦିନ ମାନଙ୍କରେ ବାହାର କାଠ ନିକଟରୁ ଦର୍ଶନ କରିବେ ଭକ୍ତ । ମରାମତି କାମ ୩ ମାସ ମଧ୍ୟରେ ସାରିବାକୁ ଏଏସଆଇ କହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
ସେହିପରି ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ମରାମତି କାମ ହେବ । ମରାମତି କାମ ସରିବା ପରେ ଅସ୍ଥାୟୀ ରତ୍ନ ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ କରାଯିବ । ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରଣ ପରେ ହେବ ଗଣତି, ମଣତି କାମ । ମରାମତି ପାଇଁ ଦୈନିକ ଅତିକମରେ ୫ରୁ ୬ ଘଣ୍ଟା ସମୟ ନିଆଯିବ । ତେବେ ଆଗକୁ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ଏବଂ ଘୋଡ଼ଲାଗି ବେଶ ଆଦି ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ଥିବାରୁ ମରାମତି ଅବଧି ସମ୍ପର୍କରେ ନିଷ୍ପତ୍ତି ନେବ ଶ୍ରୀମନ୍ଦିର ନୀତି ସବ୍ କମିଟି ।ASIର ସୂଚନା ଅନୁସାରେ ପ୍ରଥମେ ଭିତର ରତ୍ନଭଣ୍ଡାର, ପରେ ବାହାର ରତ୍ନଭଣ୍ଡାରର ମରାମତି ହେବ । ଯୋଜନା ଅନୁସାରେ ପ୍ରଥମେ ରତ୍ନଭଣ୍ଡାର କାନ୍ଥରେ ଥିବା ଫାଟ ନିରୀକ୍ଷଣ, ପରେ ଏହାର ଡି-ପ୍ଲାଷ୍ଟରିଂ ଓ କ୍ଲିନିଂ ପରେ ଷ୍ଟୋନ୍ ରିପ୍ଲେସିଂ କରାଯିବ । ଏହା ପରେ ଆରମ୍ଭ ହେବ କୋର୍ କଂଜରଭେସନ କାମ । ପରେ ପଏଣ୍ଟିଂ ଓ ଗ୍ରାଉଟିଂ ଭଳି କାର୍ଯ୍ୟ କରାଯିବ ।ତେବେ ମରାମତି କାର୍ଯ୍ୟ କେତେ ସମୟ ଏବଂ କେଉଁ ସମୟରେ କରାଯିବ, ସେ ନିଷ୍ପତ୍ତି ଏବେ ଯାଏଁ ହୋଇନଥିବାରୁ ଏ କାର୍ଯ୍ୟ କେତେଦିନ ଯାଏଁ ଚାଲିବ, ତାହା ନିଶ୍ଚିତ ହୋଇପାରିନି । ତେବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତ ନିଯୋଗ ସହ ସମନ୍ୱୟ ରଖି କାର୍ଯ୍ୟ କରାଯିବା ଉପରେ ଜୋର ଦେଇଛନ୍ତି ବରିଷ୍ଠ ସେବାୟତ । ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଏବେ ଅସ୍ଥାୟୀ ଟ୍ରେଜେରୀରେ ଥିବା ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାରକୁ ରତ୍ନଭଣ୍ଡାର ଭିତରକୁ ନିଆଯିବ। ପରେ ସେଠାରେ ଆରମ୍ଭ ହେବ ଗଣତି ମଣତି କାର୍ଯ୍ୟ ।