ବିଜେଡି ଛାଡ଼ିଲେ ରାସେଶ୍ୱରୀ ପାଣିଗ୍ରାହୀ

ବିଜେଡିରୁ ସମ୍ବଲପୁରର ପୂର୍ବତନ ବିଧାୟିକାଙ୍କ ଇସ୍ତଫା

ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ସେ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ସେ ଟିକେଟ ଆଶାୟୀ ଥିଲେ। କିନ୍ତୁ ନମିଳିବାରୁ ଅସନ୍ତୁଷ୍ଟ ହୋଇଥିଲେ। ବିଜେଡିରୁ ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ରାସେଶ୍ୱରୀ ପାଣିଗ୍ରାହୀ କହିଥିଲେ, ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି। ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ ଦେଲେ। ସମ୍ବଲପୁରରେ କ’ଣ ନେତା ନାହାନ୍ତି, ବାହାରୁ ଆଣି ଲଢ଼ାଉଛନ୍ତି। ଦଳ ଯେଉଁ ନିଷ୍ପତ୍ତି ନେଲା ତାହା ସମ୍ବଲପୁର ପାଇଁ ଅବମାନନା। ସମ୍ବଲପୁରକୁ ଅଣଦେଖା କରାଗଲା। ତାହା ମୋତେ ବାଧିଛି। ସେ କହିଛନ୍ତି, ଦଳ ଛାଡ଼ିବା ନିଷ୍ପତ୍ତି ପାଇଁ କଷ୍ଟ ଲାଗୁଛି। କିନ୍ତୁ ସମ୍ବଲପୁରବାସୀ ମୋ ପାଇଁ ଆଗ। ସମାଜସେବା କରୁଛି। ଆଗକୁ ବି ଏହା ଜାରି ରହିବ। ଆଗାମୀ ଦିନରେ କୌଣସି ପଲିଟିକାଲ୍ ଆକ୍ଟିଭିଟି କରିବିନି।