ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା
ଭାଇ ଭଉଣୀର ନିଆରା ସମ୍ପର୍କର କଥା କହେ ରାକ୍ଷୀ । ଯେଉଁ ରାକ୍ଷୀ ବାନ୍ଧିବା ପରେ ଭଉଣୀକୁ ସବୁ ବିପଦରୁ ରକ୍ଷା କରିବା ପାଇଁ ଭାଇ ପ୍ରତିଶ୍ରୁତି ଦେଇଥାଏ । ଆଉ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଏହି ରାକ୍ଷୀ ସଦା ସର୍ବଦା ମଜଭୁତ କରିଥାଏ । ତେବେ ସବୁଥି ରାକ୍ଷୀର ପର୍ବକୁ ବେସ ଧୁମଧାମରେ ପାଳନ କରାଯାଉଥିବା ବେଳେ ଆଜି ଶ୍ରୀମନ୍ଦିରରେ ମଧ୍ୟ ପାଳନ ହେବ ଏହି ରାକ୍ଷୀର ପର୍ବ । ବଡ଼ ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଗତକାଲି ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ଅନୁଷ୍ଠିତ ହୋଇଥିଲେ ବି ବିଷ୍ଟି ଯୋଗ ପଡିଥିବାରୁ ଶ୍ରୀମନ୍ଦିରରେ ଆଜିପାଳିତ ହେବ ଗହ୍ମା ପୂର୍ଣ୍ଣିମା ।
ଓଡ଼ିଶାର ବଡ଼ଠାକୁର ମାନବୀୟ ଲୀଳାର ଏକ ନିଆରା ନିଦର୍ଶନ ହୋଇଥିବା ବେଳେ, ତାଙ୍କ ଦେଉଳରେ ବି ଏହି ସ୍ନେହ ପ୍ରେମ ଭଲପାଇବାର ପର୍ବ ପାଳିତ ହୁଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ମହାପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ। ସକାଳ ଧୂପ, ଭୋଗମଣ୍ଡପ ଶେଷ ପରେ ମଇଲମ, ମହାସ୍ନାନ, ଘଣ୍ଟ ଛତା ସର୍ବାଙ୍ଗ ବେଶ ଶେଷ ପରେ ରକ୍ଷାବନ୍ଧନ ନୀତି ଅନୁଷ୍ଠିତ ହେବ।ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ। ସେହିପରି ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଯାହା ସାରା ଜଗତକୁ ଭାଇ ଭଉଣୀ ସମ୍ପର୍କର ଏକ ନୀବିଡ ବାର୍ତ୍ତା ଦେବ ।