ଡିସେମ୍ବର ୨୦ରେ ରାଜ୍ୟସଭା ଉପ-ନିର୍ବାଚନ
ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପଡିବ ଭୋଟ୍ । ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲିପଡିଛି । ଯାହା ଫଳରେ ଏହି ଆସନରେ ଆସନ୍ତା ଡିସେମ୍ବର ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ମୁତାବକ, ଡିସେମ୍ବର ୩ ତାରିଖରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଡିସେମ୍ବର ୧୦ ତାରିଖ ସୁଦ୍ଧା ଆଶାୟୀ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାପରେ ଡିସେମ୍ବର ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଆଉ ୧୩ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଏହାପରେ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ପଡିବ ।
ସୁଜିତ୍ କୁମାର ବିଜେଡିରୁ ଇସ୍ତଫା ସହ ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏହାପରେ ସେ ବିଜେପିରେ ସାମିଲ ହେଇଥିଲେ । ତେବେ ତାଙ୍କ ଇସ୍ତଫା ପରେ, ଖାଲି ପଡିଥିବା ଏହି ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ତେଣୁ ବିଜେପି ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ବଢିଛି । ସୂଚନା ମୁତାବକ, ବିଜେପିରେ ସାମିଲ ହେବା ପରେ ନିଜେ ସୁଜିତ୍ କୁମାର ଏହି ଆସନରୁ ବିଜେପି ପ୍ରାର୍ଥୀ ହେଇପାରନ୍ତି । ଆଉ ପୁଣିଥରେ ରାଜ୍ୟସଭାକୁ ଯାଇପାରନ୍ତି ବୋଲି କୁହାଯାଉଛି ।