ରାଜା ଚକ୍ରଙ୍କ ଲିଙ୍କ୍‌ରେ ଅନେକ ବଡ଼ବଡ଼ିଆଙ୍କ ସଂପୃକ୍ତି ରହିଛି: ପୃଥ୍ୱୀରାଜ ହରିଚନ୍ଦନ

ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର

ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତା ମାମଲାରେ ସେ ଜେଲ୍ ଯାଇଛନ୍ତି । ଆସନ୍ତା ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ରାଜା ଚକ୍ର ।  କ୍ରାଇମବ୍ରାଞ୍ଚ EOW ଆଜି ତାଙ୍କୁ ବାଲେଶ୍ୱର କୋର୍ଟରେ ହାଜର କରିଥିଲା । ଏହାପରେ ତାଙ୍କୁ ଜେଲ୍ ପଠାଯାଇଛି । ତେବେ କୋର୍ଟରେ ରାଜାଙ୍କ ରିମାଣ୍ଡ କିମ୍ବା ଜାମିନ୍ ଆବେଦନ ହୋଇନି । ଅନ୍ୟପଟେ ରାଜା ଚକ୍ର ମାମଲାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ”ରାଜା ଚକ୍ରଙ୍କ ଲିଙ୍କ୍‌ରେ ଅନେକ ବଡ଼ବଡ଼ିଆଙ୍କ ସଂପୃକ୍ତି ରହିଛି । ଗତକାଲି ବଦ୍ରି ପାତ୍ର ଏ ସମ୍ପର୍କରେ କହିସାରିଛନ୍ତି । ଲିଙ୍କ୍‌ରେ ଯିଏ ବି ଅଛନ୍ତି କାହାରିକୁ ଛଡ଼ାଯିବନି । ଆଇନ ଅନୁସାରେ ସମସ୍ତେ ବନ୍ଧା ହେବେ । ଆମ ସରକାର କାହାକୁ ଛାଡ଼ିନାହାନ୍ତି କି ଛାଡ଼ିବେନି ।” ରାଜା ଚକ୍ର ଗିରଫ ହେବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଥିଲା । ପୂର୍ବରୁ ଏଇ ମାମଲାରେ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ । ତେବେ ଗିରଫ ନିଶ୍ଚିତ ଜାଣି ରାଜା ଚକ୍ର ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ଆଣିଥିବାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ରାଜା ବିରୋଧରେ ଉପଯୁକ୍ତ ପ୍ରମାଣ ଯୋଗାଡ଼ରେ ଲାଗି ପଡ଼ିଥିଲା । ଯେଉଁଥିପାଇଁ ରାଜ୍ୟବ୍ୟାପୀ ପାଖାପାଖି ୧୬ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା ।