ରଜ ପର୍ବ ପାଳନ ପଛର କାରଣ କ’ଣ ?
ବନସ୍ତେ ଡାକିଲା ଗଜ…ବରଷକୁ ଥରେ ଆସିଛି ରଜ…ଆସିଛି ରଜ ଲୋ ଘେନି ନୂଆ ସଜବାଜ…
ହାତରେ ମେହେନ୍ଦୀ, ପାଦରେ ଅଳତା, ନୂଆ ଡ୍ରେସ ସାଙ୍ଗକୁ ଖିଲି ପାନର ହସ…ପୋଡ ପିଠା ଖାଇ… ଦୋଳିରେ ଝୁଲି କୁଆଁରୀ ଝିଅ ଗାଉଛି..‘ବରଷକୁ ଥରେ ଆସିଛି ରଜଲୋ ଘେନି ନୂଆ ସଜବାଜ’ । ଆଜି ପହିଲି ରଜ । ସକାଳୁ ସକାଳୁ ଝିଅ ମାନେ ନୂଆ ଡ୍ରେସ ପିନ୍ଧି, ପୋଡ ପିଠା ଖାଇ ବୁଲିବେ ଗାଁଠୁ ସହର । ରଜକୁ ନେଇ ଚାରିଆଡେ ଉତ୍ସାହ ଭରିରହିଛି ।
ଓଡ଼ିଶାର ଏକ ପାରମ୍ପାରିକ ଗଣପର୍ବ ହେଉଛି ରଜ । ଆଷାଢ ମାସ ପାଳନ ହୁଏ ରଜ । ଯାହାକି 3 ଦିନ ଧରି ପାଳନ ହୁଏ । ପ୍ରଥମ ଦିନ ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତୀୟ ଦିନ ଶେଷରଜ । ଚତୁର୍ଥ ଦିନ ବସୁମତି ସ୍ନାନ ଭାବରେ ପାଳନ କରାଯାଏ । ଏହା ମୁଖ୍ୟତଃ କୃଷି ଭିତ୍ତିକ ପର୍ବ ଅଟେ । ରଜ ଶବ୍ଦର ଅର୍ଥ ରଜବତୀ ହେବା । କୁହାଯାଏ ପୃଥିବୀ ମାତା ଏହି ସମୟରେ ରଜବତୀ ହୋଇଥାଏ । ଏହି ସମୟରେ ବସୁମତି ତଥା ହଳ ଲଙ୍ଗଳକୁ ପୂଜନ କରାଯାଏ । 3 ଦିନ ଧରି ଚାଷ କାର୍ଯ୍ୟ ବନ୍ଦ ରହିଥାଏ । ଏଥିସହ କୁଆରୀ ଝିଅ ମାନେ 3 ଦିନ ଧରି ମଉଜ କରିଥାନ୍ତି ।ଏପରିକି ଏହି ସମୟରେ ଝିଅ ମାନଙ୍କୁ କାମ କରିବାକୁ ମନା କରାଯାଏ । କୁଆଁରୀ ଝିଅମାନେ ଖାଲି ପାଦରେ ମାଟି ଉପରେ ଚାଲିବାକୁ ମନା କରାଯାଏ । ପ୍ରାୟତଃ ସମୟ ଦୋଳି ଖେଳିଥାନ୍ତି । ନହେଲେ ଗୁଆ ଖୋଳପା ବା ଚପଲ ପିନ୍ଧି ଚଳପ୍ରଚଳ ହୋଇଥାନ୍ତି । ମାଟି ଖୋଳିବା ମନା, ଶୀଳରେ ବାଟିବାକୁ ମଧ୍ୟ ମନା କରାଯାଇଥାଏ । କେଶ କୁଣ୍ଡାଇବେ ନାହିଁ, କିଛି ଛିଣ୍ଡାଇବେ ନାହିଁ, ଘର ଝାଡୁ କରିବେ ନାହିଁ, ପୋଷାକ ସିଲାଇବେ ନାନିଁ, କାଟିବେ ନାହିଁ, ରୋଷେଇ କରିବାକୁ ବାରଣ କରାଯାଇଥାଏ । ସେଥିପାଇଁ ଏହି 3 ଦିନ ଝିଅ ମାନେ କାମ ନକରି ଦୋଳିରେ ଝୁଲନ୍ତି । ବୁଲାବୁଲି କରନ୍ତି ।
କେମିତି ପାଳନ ହୁଏ ରଜ ପର୍ବ ?
ରଜ ଜୁନ ମାସର 14, 15 ଓ 16 ତାରିଖରେ ପାଳନ ହୁଏ । ପ୍ରଥମ ଦିନ ଅର୍ଥାତ୍ ଜୁନ 14 ଏହା ହେଉଛି ପହିଲି ରଜ । ଏହା ପୂର୍ବ ଦିନକୁ ସଜବାଜ କୁହାଯାଏ । ରଜର ପୂରା ପ୍ରସ୍ତୁତି ସଜବାଜ ଦିନ ହୋଇଥାଏ । ପିଠା ପ୍ରସ୍ତୁତିଠୁ ନେଇ ଦୋଳି ବନ୍ଧା ପର୍ଯ୍ୟନ୍ତ । ଏସବୁ କାମ ସଜବାଜ ଦିନ ହୋଇଥାଏ । ରଜ ପ୍ରଥମ ଦିନ ଝିଅ ମାନେ ପାହାନ୍ତିଆରୁ ଉଠି ବଟା ହଳଦୀ, ତେଲ ନେଇ ବାହାରି ପଡନ୍ତି ନଦୀ ତୁଠକୁ । ଗାଧୋଇବା ପରେ ନୂଆ ଡ୍ରେସ, ଶାଢୀ ପରିଧାନ କରନ୍ତି । ହାତରେ ଚୁଡି, ମଥାରେ ଟିକିଲି, ପାଦରେ ଅଳତା, ଆଖିରେ କଜଳ, ହାତରେ ମେହେନ୍ଦୀ ଲଗାଇ ସଜେଇ ହୁଅନ୍ତି । ପୋଡ ପିଠା ଖାଇ ସାଙ୍ଗ ମାନଙ୍କ ସହ ରଜ ପର୍ବ ପାଳନ କରନ୍ତି ।
ରଜ ପର୍ବ ପାଳନ ପଛର କାରଣ କଣ ?
ଏହି ପର୍ବ ପାଳନ ପଛରେ ଏକ ରୋଚକ କାରଣ ରହିଛି । ବିଶ୍ବାସ କରାଯାଏ, ଏହି ସମୟରେ ବସୁମତୀ ମାତା (ପୃଥିବୀ) ରଜଶ୍ବଳା ବା ରଜବତୀ(ଋତୁସ୍ରାବ) ହୋଇଥାନ୍ତି । ରଜବତୀ ସମୟରେ ମହିଳାଙ୍କୁ ଯେପରି ବିଶ୍ରାମ ଆବଶ୍ୟକ ହୁଏ ମାତା ବସୁମତୀଙ୍କୁ ମଧ୍ୟ ବିଶ୍ରାମ ଆବଶ୍ୟକ ହୁଏ । ଏହି ସମୟରେ ଝିଅ ମାନେ ଯେପରି ଘରକାମ କରନ୍ତିନି, ମନ୍ଦିର ଯାଆନ୍ତିନି । ସେହିପରି ମାଟି ଖୋଳିବାକୁ ବାରଣ କରାଯାଏ । ମହିଳାଙ୍କ ପରି ମାତା ବସୁମତୀଙ୍କୁ ବିଶ୍ରାମ ଦିଆଯାଏ ।
