ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ
ଶ୍ରାବଣରେ ବର୍ଷା ଗାଏବ । ଚାଷୀର ବିଲ ଫାଟି ଆଁ । ଯେଉଁ ସମୟରେ ଦରକାର ବର୍ଷା ପାଣି । ସେ ସମୟରେ ନାହିଁ ବର୍ଷା । ତେଣୁ ଚାଷ କାମ କରିନପାାରି ମୁଣ୍ଡରେ ହାତ ଦେଇ ବସିଛି ଚଷା ପୁଅ । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପାଗ ଆଂଶିକ ମେଘୁଆ ରହୁଥିବା ବେଳେ କାଁ ଭାଁ ବର୍ଷା ହେଉଛି। କାଲି ନୂଆପଡ଼ା, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ୧୫ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଭଲ ବର୍ଷା ହେଉ ନଥିବାରୁ ନିଅଣ୍ଟ ସ୍ଥିତି ଜାରି ରହିଛି। ଗତ ୨୪ ଘଣ୍ଟାରେ ହାରାହାରି ୫.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ବାଭାବିକ ୧୦.୮ ମିମି ତୁଳନାରେ ଏହା ୫୩% କମ୍। ଏଥିସହ ଆଜି ରାଜ୍ୟରେ ଅଭାବୀ ବର୍ଷାର ସ୍ଥିତି ୨୭%କୁ ବୃଦ୍ଧି ପାଇଛି। ଚଳିତ ମୌସୁମୀ ଋତୁରେ ୧ ଜୁନ୍ରୁ ଆଜି ୧୩ ଜୁଲାଇ ମଧ୍ୟରେ ରାଜ୍ୟରେ ସର୍ବମୋଟ୍ ୨୪୩.୯ ମିମି ବର୍ଷା ହୋଇଯାଇଛି। ଏହା ସ୍ବାଭାବିକ ବର୍ଷା ୩୩୪.୪ ମିମି ତୁଳନାରେ ୨୭% କମ୍ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ କୁହାଯାଇଛି ଯେ ଆସନ୍ତା ୧୬ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପ୍ରଭାବ ବଢ଼ିବ। ୧୭ ତାରିଖ ଦିନ ସାରା ଓଡ଼ିଶାରେ ବର୍ଷିପାରେ।