ସୁନ୍ଦରଗଡ଼ରେ ବିସ୍ଫୋରକ ଗୋଦାମ ଯାଞ୍ଚ

ରାଉରକେଲାରୁ ୩୦୦ ପେଟି ବିସ୍ଫୋରକ ଜବତ ହୋଇଛି

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବାଙ୍କୋ ପଥର ଖଣିରୁ ମାଓବାଦୀ ୫ ଟନ୍ ବିସ୍ଫୋରକ ଲୁଟି ନେବା ଓ ପୁଲିସ ଅପରେସନରେ ଅଢ଼େଇ ଟନ୍ ଉଦ୍ଧାର ହେବା ଘଟଣା ଜିଲ୍ଲା ତଥା ରାଜ୍ୟରେ ହଇଚଇ ଖେଳାଇଦେଇଛି। ବିସ୍ଫୋରକ ବଡ଼ଗାଁ ଥାନା ଇତମା ଖଡ଼ିଆପଡ଼ାସ୍ଥ ଶ୍ରବଣ ଅଗ୍ରୱାଲଙ୍କ ଗୋଦାମରୁ ଯାଇଥିଲା। ଏହା ଭିତରେ ପୂରା ପ୍ରକ୍ରିୟାରେ ସନ୍ଦେହ ଘେରକୁ ଚାଲି ଯାଇଥିବା ମାଲିକ ଶ୍ରବଣଙ୍କୁ ଆଜି ରାଉରକେଲା ପୁଲିସ ଗିରଫ କରିଛି। ମାଲିକଙ୍କ ମାଓ ଲିଙ୍କ ଚର୍ଚ୍ଚା ଆସିବା ପରେ ପୁଲିସ ମାମଲାକୁ ଗମ୍ଭୀରତାର ସହ ନେଇଛି। ଆଜି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ ବ୍ରିଜେଶ ରାୟଙ୍କ ନିର୍ଦେଶକ୍ରମେ  ସୁନ୍ଦରଗଡ଼ ପୁଲିସ ଜିଲାର ଏମସିଏଲ, ଏନଟିପିସି ଦର୍ଲିପାଲି ପାୱାର ପ୍ଲାଣ୍ଟ,ଏନଟିପିସି ଡୁଲିଙ୍ଗା କୋଇଲା ଖଣି, ମନୋହରପୁର ଓସିପିଏଲ କୋଇଲା ଖଣି , ଜାମକାନି ବେଦାନ୍ତ କୋଇଲା ଖଣି, ଲାଞ୍ଜିବେରଣା ଚୁନପଥର ଖଣିରେ ମାଗଜିନ ଓ ବିସ୍ଫୋରକ ଗୋଦାମଗୁଡ଼ିକୁ ଯାଞ୍ଚ କରୁଛି ପୁଲିସ ଟିମ। ଆରକ୍ଷୀ ଉପ ମହାନିରୀକ୍ଷକଙ୍କ ନିର୍ଦେଶରେ ସୁନ୍ଦରଗଡ଼, ରାଉରକେଲା ଓ କେନ୍ଦୁଝରରେ ଯାଞ୍ଚ ଚାଲିଛି। ରାଉରକେଲାରୁ 300 ପେଟି ବିସ୍ଫୋରକ ଜବତ ହୋଇଛି।