ଶ୍ରୀମନ୍ଦିରରେ ଆଜି ରାଧାଷ୍ଟମୀ
ଆଜି ରାଧାଷ୍ଟମୀ । ସଜେଇ ହୋଇଛି ଶ୍ରୀମନ୍ଦିର । ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ଆଜି ଅପରାହ୍ନରେ ସୁଦର୍ଶନ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବେଢା ପରିକ୍ରମା ପରେ ବାହାରକୁ ତାଙ୍କ ବିମାନ ବାହାରି ନଗର ପରିକ୍ରମା କରିବ । ଏହାପରେ ପନ୍ତି ଭୋଗ ଖାଇ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ ।ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନୀତି କରାଯିବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମ୍ମୁଖରେ ପଢି ନୀତି ସମ୍ପୂର୍ଣ୍ଣ କରିବେ । ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତନ କରିବେ । ସେପଟେ କୃଷ୍ଣଲୀଳା ଶେଷ ହୋଇ ଆସୁଥିବା ବେଳେ ଗତକାଲି ରାତିରେ ଶ୍ରୀମନ୍ଦିରରେ କେକେସି ରାକ୍ଷସ ବଧ ନୀତି ଅନୁଷ୍ଠିତ ହୋଇଛି ।
