ଦୁଇ ଦିନିଆ ଭାରତ ଗସ୍ତରେ କତାରର ଅମିର

ଆଜି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଭେଟିବେ କତାରର ଅମିର

ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି କତାରର ଅମିର ଶେଖ ତମିମ ବିନ ହମାଦ ଅଲଥାନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଇ ଶେଖଙ୍କୁ ସ୍ବାଗତ କରିଥିଲେ। ସୋମବାର ରାତିରେ ଶେଖ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଭେଟିବାର କାର୍ଯ୍ୟକ୍ରମ ରହିଛି। ଶେଖ ତମିମ ବିନ ହମାଦ ଅଲଥାନି ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ପୂର୍ବରୁ ସେ ୨୦୧୫ରେ ଭାରତ ଆସିଥିଲେ। ବର୍ଷ ବର୍ଷ ଧରି କତାର ଏବଂ ଭାରତ ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିଛି। ମଙ୍ଗଳବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ଶେଖ ଭାରତ ଆସିଛନ୍ତି। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଭାରତ ଏବଂ କତାର ମଧ୍ୟରେ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ନିରନ୍ତର ମଜଭୁତ ହୋଇଛି।