ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା

ଆଜି ସାରା ରାତି କରିପାରିବେ ଶ୍ରୀଜିଉଙ୍କ ଦର୍ଶନ

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ଆସନ୍ତାକାଲି କାର୍ତ୍ତିକ ମାସ ପଞ୍ଚୁକ ବ୍ରତର ଅନ୍ତିମ ଦିନ। ସୋମବାର ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ରାଜ ରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ପୂଣ୍ଣିମା ତିଥିରେ ହବିଷ୍ୟାଳି ଓ ଶ୍ରଦ୍ଧାଳୁମାନେ ମହୋଦଧିରେ ସ୍ନାନକରି ଡଙ୍ଗାଭସାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସମାଗମ ହେବେ। ତେଣୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ସହ ଆଲୋଚନା କରିଛି। ଆଜି ସାରାରାତି ଅନେକ ନୀତିକାନ୍ତି ଥିବାରୁ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇନପାରେ। ଏଥିସହ ସାରାରାତି ଦର୍ଶନ ବ୍ୟବସ୍ଥା ଭକ୍ତଙ୍କ ପାଇଁ ରହିବ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି। ଅନ୍ୟପକ୍ଷରେ କାର୍ତ୍ତିକ ପୂର୍ଣିମା ପାଇଁ ପୁଲିସ ପ୍ରଶାସନ ୫୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଥିବା ବେଳେ ଶ୍ରୀମନ୍ଦିରରେ ଓ ସମୁଦ୍ରକୂଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।