ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ହେବନି ରାତ୍ର ପହୁଡ଼

ଡିସେମ୍ବର ୩୧ରେ ହେବନି ଶ୍ରୀଜିଉଙ୍କ ରାତ୍ର ପହୁଡ଼

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ହେବନି ରାତ୍ର ପହୁଡ଼ । ଶ୍ରୀମନ୍ଦିର ନୀତି ଅନୁସାରେ ମହାବିଷୁବ ସଂକ୍ରାନ୍ତିରେ ଓଡ଼ିଆଙ୍କ ନୂଆବର୍ଷ ଆସେ । କିନ୍ତୁ ଇଂରାଜୀ ନୂଆବର୍ଷରେ କାଳିଆ ଠାକୁର ହେବେ ହନ୍ତସନ୍ତ । ଭକ୍ତଙ୍କ ପାଇଁ ଅନିଦ୍ରା ରହିବେ ଚତୁର୍ଦ୍ଧାମୂର୍ତ୍ତି । ନୂଆବର୍ଷ ପାଇଁ ଡିସେମ୍ବର ୩୧ ତାରିଖରେ ଆବଶ୍ୟକ ପଡିଲେ ରାତ୍ର ପହୁଡ଼ ହେବନାହିଁ । ରବିବାର ପଡୁଥିବାରୁ ଭିଡକୁ ଦୃଷ୍ଟିରେ ରଖି ୩୧ ତାରିଖ ସକାଳୁ ୧ତାରିଖ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । ଏହାପୂର୍ବରୁ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ମହାପ୍ରଭୁଙ୍କର ରାତ୍ର ପହୁଡ଼ ହୋଇନଥିଲା । ଭକ୍ତଙ୍କ ଭିଡକୁ ନଜରରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଏବଳି ନିଷ୍ପତ୍ତି ନେଉଛି ଶ୍ରୀମନ୍ଦିର ପ୍ରଶାସନ । ସେହିପରି ଡିସେମ୍ବର ଓ୧୬ରୁ ଆରମ୍ଭ ହେବ ପହିଲି ଭୋଗ । ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପ୍ରାୟେ ମାସେ ଧରି ଚାଲିବ ଏହି ନୀତି । ସେହିଭଳି ନୂଆବର୍ଷ ଠାରୁ ମନ୍ଦିର ଭିତରେ ପାନ, ଗୁଟଖା ବାରଣ ସହ ଶାଳିନତାପୂର୍ଣ୍ଣ ପୋଷାକ ପିନ୍ଧିବା ନିୟମକୁ କଡାକଡି ପାଳନ କରାଯିବ ।