ଅବଢାର ଲାଗିବ ରେଟ୍ ଚାଟ୍
ଶ୍ରୀମନ୍ଦିରରେ ବିଶୃଙ୍ଖଳା କମାଇବାକୁ ପ୍ରଶାସନର ତତ୍ପରତା । ଏଥର ଶ୍ରଦ୍ଧାଳୁଙ୍କୁ ପଚାରିବାକୁ ପଡିବନି ମହାପ୍ରସାଦର ଦର । ସିଧାସଳଖ ରେଟ୍ ଚାଟ୍ ଦେଖି ଭକ୍ତ କିଣିବେ ଅବଢା । ଶ୍ରୀମନ୍ଦିର ଆନନ୍ଦବଜାରରେ ବାରମ୍ବାର ବିଶୃଙ୍ଖଳା ଓ ଭକ୍ତଙ୍କୁ ଆକ୍ରମଣ ପରେ ଶୃଙ୍ଖଳା ଆଣିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଏ ଉପରେ ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦବଜାର ସମ୍ପର୍କିତ ପ୍ରାୟ ୨୦ଟି ପ୍ରସଙ୍ଗରେ ଏହି ବୈଠକରେ ବିଧିବଦ୍ଧ ଆଲୋଚନା ସହ ଆବଶ୍ୟକ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆବଶ୍ୟକ ବିଚାରବିମର୍ଶ ଓ ସୁପାରିସ ପାଇଁ ଏକ ସବ୍କମିଟି ଗଠନ କରାଯାଇଛି । ଏହି କମିଟି ୭ରୁ ୧୦ ଦିନ ଭିତରେ ଆବଶ୍ୟକ ସୁପାରିସ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ପ୍ରଦାନ କରିବା ପରେ ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନିଆଯାଇଛି ।
