ଆରମ୍ଭ ହେଲା ପୂଣ୍ୟ ପଞ୍ଚୁକ

ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଆରମ୍ଭ ହେଲା ପୁଣ୍ୟ ପଞ୍ଚୁକ । ପବିତ୍ର କାର୍ତ୍ତିକ ମାସର ଏହି ୫ଦିନର ପର୍ବକୁ ବର୍ଷସାରା ଅପେକ୍ଷା କରିଥାନ୍ତି ପ୍ରତ୍ଯେକ ଓଡ଼ିଆ । ତେବେ ଏହି କାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ପାଇଁ ଚଳଚଞ୍ଚଳ ହୋଇ ପଡିଛି ଶ୍ରୀକ୍ଷେତ୍ର । ଆଜି ପ୍ରଥମ ଦିନରେ ହରି ଉତ୍ଥାପନ ଏକାଦଶୀ ପାଇଁ ନୀତି କରାଯିବା ସହ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ଆସନ୍ତାକାଲି ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହେବ । ପଞ୍ଚୁକର ତୃତୀୟ ଦିନରେ ଠାକୁରଙ୍କ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶ ଓ ପଞ୍ଚମ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜରାଜେଶ୍ବର ବା ସୁନାବେଶ ଅନୁଷ୍ଠିତ ହେବ । କୁହାଯାଏ ପଞ୍ଚକ ବ୍ରତ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ।

ହବିଷ୍ୟଲିଙ୍କ ସମେତ ଅନେକ ଭକ୍ତଙ୍କ ସମାଗମ ଦେଖିବବାକୁ ମିଳିଛି । ତେବେ ପଞ୍ଚୁକ ସମୟରେ ଦର୍ଶନରେ ଯେମିତି କୌଣସି ବିଶୃଙ୍ଖଳା ନହୁଏ, ସେଥିପାଇଁ ପଦକ୍ଷେପ ନିଆଯାଇଛି । ଦର୍ଶନ ପାଇଁ ଚାରିଧାଡିଆ ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା ମଧ୍ୟ ରହିଛି । ପଞ୍ଚୁକରେ ଅଧିକ ଭକ୍ତଙ୍କ ଭିଡ ହେବା ପୂର୍ବରୁ, ସିଂହଦ୍ୱାରରୁ ଶ୍ରୀନଅର ପର୍ଯ୍ୟନ୍ତ ଥିବା ବ୍ୟାରିକେଡକୁ, ଟାଉନ ଥାନା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ତେବେ ଚାରି ଥାକିଆ ବ୍ୟାରିକେଡରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।