ମନିପର୍ସ ପାଇଁ ହତ୍ୟାକାଣ୍ଡ

ମନିପର୍ସକୁ ନେଇ ହତ୍ୟା ଘଟଣା, ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ବାରିପଦାରେ ମନିପର୍ସରେ ଥିବା କିଛି ଟଙ୍କାକୁ ନେଇ ଗୋଷ୍ଠୀ ସଂଘର୍ଷ ଓ ହତ୍ୟାକାଣ୍ଡ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୋଲିସର କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ନ୍ୟାୟ ପାଇଁ ଟାଉନ ଥାନା ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ଗତକାଲି ବାରିପଦା ଟାଉନ ଥାନା ଅନ୍ତର୍ଗତ ଶୂନଗଡ଼ିଆ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଜଣେ ଯୁବକଙ୍କୁ ହାଣି ହତ୍ୟା କରିଥିଲେ ବିପକ୍ଷ ଦଳ । ତେବେ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଖବର ଦିଆଯାଇଥିଲେ ବି ପୋଲିସ ଘଟଣାସ୍ଥଳରେ ଠିକ ସମୟରେ ପହଞ୍ଚି ନଥିଲା । ଗତକାଲି ସଂଧ୍ୟାରେ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ଥାନା ଆଗରେ ବିିକ୍ଷୋଭ ହୋଇଥିଲା । ଏପରିକି ପୋଲିସ ଉପରକୁ ଟେକାପଥର ମାଡ଼ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଆଜି ବି ପ୍ରତିବାଦ ଜାରି ରହିଛି । ସେପଟେ ଗୋଷ୍ଠୀ ସଂଘର୍ଷ ଓ ହତ୍ୟାକାଣ୍ଡ ମାମଲାରେ ପୋଲିସ୍ ୪ ଜଣଙ୍କୁ ଅଟକ ରଖିଛି । ଏମାନଙ୍କ ମଧ୍ୟରେ ମୃତକଙ୍କ ପରିବାରର ୨ ଜଣ ଥିବା ଜଣାପଡ଼ିଛି ।