ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାମ

‘ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାମ’

ଆରମ୍ଭ ହେବ ଆମ ଓଡିଶା ନବୀନ ଓଡ଼ିଶା କାମ। ବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି। ସେ କହିଛନ୍ତି ‘ଆମ ଓଡିଶା ନବୀନ ଓଡିଶା’ରେ ୩ ହଜାର ୪୫୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରାୟ ୩୦ରୁ ୪୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି, ଯାହାର ପେମେଣ୍ଟ ବି ହୋଇଛି। ସେହିଭଳି ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ଯେ ‘ଆମ ଓଡିଶା ନବୀନ ଓଡିଶା’ ଅର୍ଥ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଗାଁ ଗହଳିରେ ଅର୍ପଣ ଚାଉଳ ସଂଗ୍ରହ ପାଇଁ ସଙ୍କୀର୍ତ୍ତନ ଓ କ୍ରୀଡା ବିକାଶ ପାଇଁ ଖର୍ଚ୍ଚ କରାଯାଇଛି। ସେ ବାବଦରେ ଆମେ ତର୍ଜମା କରୁଛୁ। କାମ କରିଥିବା ସଂସ୍ଥାକୁ ପାଉଣା ନିଶ୍ଚିତ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ବିଜେଡ଼ି ସରକାର କରୁନଥିଲା ପଲ୍ଲୀ ସଭା। ପୂର୍ବ ସରକାରରେ ୱାନ ମ୍ୟାନ ଆର୍ମି ହିଁ ସର୍ବେସର୍ବା ଥିଲେ, ସେ ଯାହା କହୁଥିଲେ ସେୟା ହିଁ ହେଉଥିଲା। ପଲ୍ଲୀ ଓ ଗ୍ରାମ ସଭାକୁ ସମ୍ପୂର୍ଣ ବନ୍ଦ କରି ଦିଆ ଯାଇଥିଲା। ଏହା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ରେ ତାଙ୍କ କର୍ମକର୍ତ୍ତା ଯାହା କହିଲେ ତାହା ହେଲା। କିନ୍ତୁ ଆମ ସରକାର ତାହା କରିବନି। ଗ୍ରାମ ସଭା ଓ ପଲ୍ଲୀ ସଭାକୁ ଆମ ସରକାର ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛନ୍ତି। ସେ ଯାହା କହିବେ ତାହା ହେବ ବୋଲି ଗୃହକୁ ପ୍ରତିଶ୍ରୁତି ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ ।