ଯାଜପୁର ପାଇଁ ଗର୍ବ ଆଣିଲେ ମାଡ଼ାମ ସବିତା
ଯାଜପୁର ଜିଲ୍ଲା ତଥା ସୁକିନ୍ଦା ପାଇଁ ଗର୍ବ ଆଣିଲେ ପ୍ରଫେସର ସବିତା ପ୍ରଧାନ । ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ସୁକିନ୍ଦା ବ୍ଲକ ହରିପୁର ଗ୍ରାମର କୂଳବଧୁ ତଥା ପ୍ରଫେସର ମନୋରଞ୍ଜନ ପ୍ରଧାନଙ୍କ ପତ୍ନୀ ପ୍ରଫେସର ସବିତା ପ୍ରଧାନ । ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ସବିତା ପ୍ରଧାନଙ୍କୁ ନିଯୁକ୍ତି ଦେଇଛନ୍ତି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ପ୍ରଫେସର ସବିତା ପ୍ରଧାନଙ୍କୁ ୨ ବର୍ଷ ପାଇଁ ଏହି ନିଯୁକ୍ତି ମିଳିଛି ।
ସେ ଏବେ ଶାନ୍ତିନିକେତନ ସ୍ଥିତ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗର ପ୍ରଫେସର ଅଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟରେ ସାହିତ୍ୟ, ଭାଷା ବିଜ୍ଞାନ, ଆଦିବାସୀ ଭାଷା ଓ ଐତିହ୍ୟ ବିଷୟରେ ଶିକ୍ଷାଦାନ ଆରମ୍ଭ ହେବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ। ଏହାରି ଭିତରେ ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ତେବେ କୁଳପତି ଭାବେ ନିଯୁକ୍ତି ହେବା ପରେ ସାରା ଯାଜପୁରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏବଂ ଶ୍ରୀମତୀ ସବିତା ପ୍ରଧାନଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।
