ପ୍ରିୟଙ୍କାଙ୍କ ବ୍ୟାଗକୁ ନେଇ ସଂସଦରେ ହଙ୍ଗାମା

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ପାଲେଷ୍ଟାଇନ, ବାଂଲାଦେଶ ବ୍ୟାଗ୍

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ବ୍ୟାଗ୍। କେତେବେଳେ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ୍ ତ ଆଉ କେତେବେଳେ ବାଂଲାଦେଶ ଲେଖାଥିବା ଥିବା ବ୍ୟାଗକୁ ନେଇ ଦେଖାଦେଇଛି ବିବାଦ। କଂଗ୍ରେସ ଏମ୍‌ପି ପ୍ରିୟଙ୍କା ଗାନ୍ଧୀଙ୍କ ସୋମବାର ପାଲେଷ୍ଟାଇନ ଲେଖାଥିବା ବ୍ୟାଗ୍‌ ନେଇ ସଂସଦରେ ପହଞ୍ଚିଥିଲେ ଏବଂ ମଙ୍ଗଳବାର ବାଂଲାଦେଶ ଲେଖାଥିବା ବ୍ୟାଗ୍ ନେଇ ସଂସଦରେ ପହଞ୍ଚିଥିଲେ। ଉକ୍ତ ବ୍ୟାଗ୍‌ରେ ପାଲେଷ୍ଟାଇନ୍‌ ମୁକ୍ତ ହେବ ବୋଲି ଲେଖାଯାଇଥିଲା। ଗୃହରେ ଏହି ବ୍ୟାଗକୁ ନେଇ ଜୋରଦାର୍ ହଙ୍ଗାମା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେବା ପରେ ବିଜେପି ନେତାମାନେ ତାଙ୍କୁ କଟାକ୍ଷ କରିଛନ୍ତି।

ଏହାର ଜବାବ ରଖି ସୋସିଆଲ ମିଡିଆରେ ପ୍ରିୟଙ୍କା ଲେଖିଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ସରକାରଙ୍କ ଏହା ନୈତିକ କର୍ତ୍ତବ୍ୟ ଯେ ଇସ୍ରାଏଲ ସରକାର ଦ୍ୱାରା କରାଯାଉଥିବା ନରସଂହାରର ନିନ୍ଦା କରିବା। ଏହାଛଡ଼ା ପ୍ରତ୍ୟେକ କଟାକ୍ଷର ଜବାବରେ ପ୍ରିୟଙ୍କା କହିଛନ୍ତି ଯେ ସେ କ’ଣ ପିନ୍ଧିବେ ତାହା ନିଜେ ସ୍ଥିର କରିବେ। ଏସବୁକୁ ନେଇ ଏବେ ହଙ୍ଗାମା ହେଉଛି ସେହିପରି ମଙ୍ଗଳବାର ପ୍ରିୟଙ୍କା ବାଂଲାଦେଶ ବ୍ୟାଗ୍ ନେଇ ସଂସଦରେ ପହଞ୍ଚିଥିଲେ। ପ୍ରିୟଙ୍କା ଧରିଥିବା ବ୍ୟାଗରେ ଲେଖାଯାଇଛି ଯେ “ବାଂଲାଦେଶୀ ହିନ୍ଦୁ ଓ ଖ୍ରୀଷ୍ଟିୟାନଙ୍କ ସହ ଆମେ ଛିଡ଼ା ହୋଇଛୁ।” ବାଂଲାଦେଶରୁ ଶେଖ ହସିନା ବିତାଡ଼ିତ ହେବା ପରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ପ୍ରିୟଙ୍କା ଏପରି ବ୍ୟାଗ ଧରି ସଂସଦରେ ପହଞ୍ଚିଥିଲେ। ପ୍ରିୟଙ୍କା ଗାନ୍ଧି ଏପରି ବ୍ୟାଗ ଧରିଥିବାରୁ ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ସମାନ ବ୍ୟାଗ ଧରି ସଂସଦ ବାହାରେ ବିକ୍ଷୋଭ କରିଛନ୍ତି।

Leave a Reply

Your email address will not be published. Required fields are marked *