ଅମଲିପାଲିରେ ଯୁବ ସମାବେଶକୁ କରିବେ ସମ୍ବୋଧନ

ଆଜି ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡ଼ାରେ ସେବା ପର୍ବରେ ସାମିଲ ହୋଇ ଯୁବ ସମାବେଶକୁ ଦେବେ ଉଦବୋଧନ । ଓଡ଼ିଶା ସମେତ ଦେଶବାସୀଙ୍କୁ ଦେବେ ବଡ଼ ଭେଟି। ୧୧ଟା ୧୫ରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ ପିଏମ୍ । ମୋଦିଙ୍କୁ ଭବ୍ୟ ସ୍ବାଗତ କରିବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ । ସେଠାରୁ ଅମଲିପାଲି ସ୍ଥିତ ପଡିଆରେ ଆୟୋଜିତ ଯୁବ ସମାବେଶରେ ଯୋଗଦେବେ ମୋଦି। ଏହି ଅବସରରେ ରେଳ, ଶିକ୍ଷା ସମେତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ମୋଦି ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପ, ସମ୍ବଲପୁର ସିଟି ଓ ସର୍ଲା ମଧ୍ୟରେ ୨୭୩ କୋଟି ଟଙ୍କା ବିନିମୟରେ ରେଳ ଫ୍ଲାଏଓଭର ପ୍ରକଳ୍ପ, ଭୁବନେଶ୍ବରରେ ସେମି କଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ ପ୍ରତିଷ୍ଠା ପ୍ରକଳ୍ପର ଶିଳାନ୍ୟାସ କରିବେ। ସମଗ୍ର ଦେଶରେ ବିଏସଏନଏଲ୍ ୪ଜି ସେବା ଆରମ୍ଭ ପ୍ରକଳ୍ପ, ବୈଷୟିକ ଶିକ୍ଷା କ୍ଷେତ୍ରରେ ବହୁବିଧ ଶିକ୍ଷା ଓ ଗବେଷଣା ବିକାଶ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାଛଡ଼ା ରାଜ୍ୟର ୧୩୦ଟି ୱାଇଫାଇ ଯୁକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଉଦଘାଟନ କରିବେ। ଯେଉଁଥିରେ ଅଢେଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପରକୃତ ହେବେ । ସେହିଭଳି କୋରାପୁଟରୁ ବୈପାରୀଗୁଡ଼ା ମଧ୍ୟରେ ରେଳ ଲାଇନ୍ ଓ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଡବଲିଂ ପ୍ରକଳ୍ପ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ବ୍ରହ୍ମପୁରରୁ ସୁରତ ଯାଏଁ ଅମୃତ ଭାରତ ଟ୍ରେନ୍ ସେବାକୁ ପତାକା ଦେଖାଇ ଆରମ୍ଭ କରିବା ସହ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରି ପତ୍ର ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *