ଆଜି କଟକ ଯିବେ ରାଷ୍ଟ୍ରପତି
ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ। କଟକର ୩ଟି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦିନ ୧୧ଟାରେ ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ। ଦିନ ୧୨ଟାରେ ଏହି କାର୍ଯ୍ୟକ୍ରମ ଶେଷ ହେବାକୁ ଥିବା ବେଳେ ସେଠାରୁ ରାଷ୍ଟ୍ରପତି ଗୌରୀଶଙ୍କର ପାର୍କ ନିକଟସ୍ଥ ରେଭେନ୍ସା ବାଳିକା ବିଦ୍ୟାଳୟକୁ ଯିବେ। ଦିନ ସାଢେ ୧୨ଟାରେ ରାଷ୍ଟ୍ରପତି ସେଠାରେ ପହଞ୍ଚି ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ସ୍କୁଲର ଅତ୍ୟାଧୁନିକ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ସର୍କିଟ ହାଉସ୍କୁ ଯାଇ ସେଠାରେ ବିଶ୍ରାମ କରିବେ। ରାଷ୍ଟ୍ରପତି ୩ଟା ୫୦ ମିନିଟ ସମୟରେ ବିଜୁ ପଟ୍ଟନାୟକଛକସ୍ଥିତ ସାରଳା ଭବନକୁ ଯାଇ ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେଠାରୁ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମକୁ ଯାଇ ଅପରାହ୍ନ ୪ଟାରେ ସାରଳା ସାହିତ୍ୟ ସଂସଦର ୪୫ତମ ବାର୍ଷିକ ଉତ୍ସବ ତଥା ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ସମାରୋହରେ ଯୋଗ ଦେବେ। ଅପରାହ୍ନ ୫ଟାରେ ଏହି କାର୍ଯ୍ୟକ୍ରମ ଶେଷ କରି ରାଷ୍ଟ୍ରପତି ସେଠାରୁ ସଡ଼କପଥରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ।
