ଦେଶ ପାଳୁଛି ସମ୍ବିଧାନ ଦିବସ
ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି ।
ଆଜି କେନ୍ଦ୍ର ସରକାର ଏହି ଦିବସକୁ ବେଶ ଉତ୍ସାହର ସହ ପାଳନ କରୁଛି । ଏହି ଅବସରରେ ଆଜି ପୁରୁଣା ପାର୍ଲାମେଣ୍ଟ ଭବନର ସେଣ୍ଟ୍ରାଲ ହଲ୍ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ବୋଧନ ଦେବେ। ଉପରାଷ୍ଟ୍ରପତି ଜଗଦୀପ୍ ଧନ୍କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଏକ ସ୍ମାରକୀ ମୁଦ୍ରା ଏବଂ ଡାକଟିକେଟ ଉନ୍ମୋଚନ କରାଯିବା ସହ ସଂସ୍କୃତ ଓ ମୈଥିଲୀ ଭାଷାରେ ସମ୍ବିଧାନ ପୁସ୍ତକ ଉନ୍ମୋଚନ ହେବ । ‘ମେକିଂ ଅଫ୍ କନ୍ଷ୍ଟିଚ୍ୟୁଶନ: ଏ ଗ୍ଲିମ୍ପେଜ୍’ ଏବଂ ‘ମେକିଂ ଅଫ୍ କନ୍ଷ୍ଟିଚ୍ୟୁଶନ ଆଣ୍ଡ ଇଟ୍ସ ଗ୍ଲୋରିଅସ୍ ଜର୍ନି’ ନାମରେ ଦୁଇଟି ପୁସ୍ତକ ମଧ୍ୟ ରିଲିଜ୍ ହେବ ।
ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାକୁ ପ୍ରାୟ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଭାରତୀୟ ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ । ସମ୍ବିଧାନର ମୂଳ କପି ହାତରେ ଲେଖାଯାଇଥିଲା । ସମ୍ବିଧାନର ପ୍ରତ୍ୟେକ ପୃଷ୍ଠାରେ ଏକ ସୁନା ପତ୍ର ଫ୍ରେମ୍ ଅଛି ଏବଂ ପ୍ରତ୍ୟେକ ଅଧ୍ୟାୟର ପ୍ରାରମ୍ଭ ପୃଷ୍ଠାରେ କିଛି ନା କିଛି ପ୍ରକାରର କଳାକୃତି ଅଛି । ପ୍ରସିଦ୍ଧ ଲେଖକ ପ୍ରେମ ନାରାୟଣ ରାୟଜାଦା ସମ୍ବିଧାନର ମୂଳ କପି ପ୍ରସ୍ତୁତ କରିଥିଲେ । ସମ୍ବିଧାନର ମୂଳ ନକଲଗୁଡ଼ିକ ସଂସଦର ଲାଇବ୍ରେରୀ ଭିତରେ ସଂରକ୍ଷିତ । ଯେଉଁ ବାକ୍ସରେ ସମ୍ବିଧାନର ମୂଳ ହସ୍ତଲିଖନ କପି ସଂସଦର ଲାଇବ୍ରେରୀରେ ରଖାଯାଇଛି, ସେଥିରେ ହିଲିୟମ୍ ଭରାଯାଇ ନାଫଥାଲିନ୍ ଟାବଲେଟ୍ ସହିତ ଫ୍ଲାନେଲ୍ କପଡ଼ାରେ ଗୁଡ଼ାଇ ଦିଆଯାଇଛି । ଭାରତୀୟ ସମ୍ବିଧାନର ମୂଳ ସରଞ୍ଚନା ଭାରତ ସରକାର ୧୯୩୫ ଉପରେ ଆଧାରିତ । ସମ୍ବିଧାନ ଡ୍ରାଫ୍ଟ କମିଟିରେ ଜବାହରଲାଲ ନେହେରୁ, ବଲ୍ଲବଭାଇ ପଟେଲ୍, ଶ୍ୟାମପ୍ରସାଦ ମୁଖାର୍ଜୀ ଅନ୍ତର୍ଭୁକ୍ତ ଥିଲେ ।