”ଡାକ୍ତର ହେଉଛନ୍ତି ନରରୂପୀ ନାରାୟଣ”

ଡାକ୍ତରୀ ବୃତ୍ତି ନୁହେଁ ବ୍ରତ: ରାଷ୍ଟ୍ରପତି

ଲୋକେ ଡାକ୍ତର, ଓକିଲ ଓ ଶିକ୍ଷକଙ୍କୁ ଭଗବାନ ମାନନ୍ତି। ଡାକ୍ତରମାନେ ନିଷ୍ଠାର ସହିତ ସେବା କରି ରୋଗୀଙ୍କୁ ଭଲ କରି ପାରନ୍ତି। ଭଗବାନଙ୍କୁ ଆମେ ଦେଖି ନାହୁଁ। କିନ୍ତୁ ଡାକ୍ତରମାନେ ତାଙ୍କର ସେବା ବଳରେ ରୋଗୀଙ୍କୁ ଭଲ କରନ୍ତି। ସେବା ପ୍ରତି ଆନ୍ତରିକତା ନଥିଲେ, ଜଣେ ବ୍ୟକ୍ତି ଭଲ ଡାକ୍ତର ହୋଇପାରିବେ ନାହିଁ। ତେଣୁ ସେବା କରିବା ପାଇଁ ଡାକ୍ତରଙ୍କ ମନରେ ଦରଦ ରହିବା ଦରକାର। ଡାକ୍ତରୀ ଏକ ବୃତ୍ତି ନୁହେଁ,ବରଂ ଏହା ଏକ ବ୍ରତ। ଭାରତୀୟ ସଂସ୍କୃତିରେ ନରସେବାକୁ ନାରାୟଣ ସେବା ବୋଲି କୁହାଯାଇଥାଏ। କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ଭେଷେଜ ମହାବିଦ୍ୟାଳୟ ଓ ଡାକ୍ତରଖାନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି । ଏସ୍‌ସିବିର ବାର୍ଷିକ ଉତ୍ସବରେ ଯୋଗଦେଇ ବୁଧବାର ମହାମହିମ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଲୋକଙ୍କର କଷ୍ଟ ଦୂର କରିବା ଡାକ୍ତରଙ୍କ ବଡ଼ କାମ। ମୁନୀଋଷିମାନେ କହିଛନ୍ତି, ଦୁଃଖି ଲୋକଙ୍କର ପାଇଁ ସେବା କରିବା ଉଚିତ। ପୂର୍ବାପେକ୍ଷା ମାତୃ ଓ ଶିଶୁ ମୃତ୍ୟୁହାର ବହୁ ପରିମାଣରେ ହ୍ରାସ ପାଇଛି। ଡାକ୍ତରଙ୍କ ସେବା ଯୋଗୁଁ ବହୁ ମୂଲ୍ୟବାନ ଜୀବନ ବଞ୍ଚିଯାଉଛି। ଯେତେବେଳେ କୋଭିଡ-୧୯ ବିଶ୍ବକୁ ଦେହଲାଇ ଦେଇଥିଲା ସେତେବେଳେ ଭାରତୀୟ ଚିକିତ୍ସକମାନେ ନିଜ ଜୀବନକୁ ଭୃକ୍ଷେପ ନକରି ଓ ପରିବାରକୁ ଛାଡ଼ି ଦେଇ ଯେଉଁ ସେବା କଲେ, ତାହା ବାସ୍ତବରେ ପ୍ରଶଂସନୀୟ।