ସବୁ ମାମଲାରେ ପ୍ରାଥମିକ ତଦନ୍ତ ବାଧ୍ୟତାମୂଳକ ନୁହେଁ

ସବୁ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହେଉଥିବା ସବୁ ମାମଲାରେ ପ୍ରାଥମିକ ତଦନ୍ତ ବାଧ୍ୟତାମୂଳକ ନୁହେଁ। ଏପରି କି ପ୍ରାଥମିକ ତଦନ୍ତ ଅଭିଯୁକ୍ତଙ୍କ ନ୍ୟସ୍ତ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ୨୦୨୪ ମାର୍ଚ୍ଚରେ କର୍ନାଟକ ହାଇକୋର୍ଟ ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ଏକ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ପୋଲିସର ଏଫ୍‌ଆଇଆର୍‌କୁ ରଦ୍ଦ କରି ତାଙ୍କ ସପକ୍ଷରେ ରାୟ ଦେଇଥିଲେ। ରାଜ୍ୟ ସରକାର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଏବଂ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ କର୍ନାଟକ ସରକାରଙ୍କ ଆବେଦନର ଶୁଣାଣି କରି ନିକଟରେ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ପ୍ରାଥମିକ ତଦନ୍ତର ଉଦ୍ଦେଶ୍ୟ ମିଳିଥିବା ତଥ୍ୟର ସତ୍ୟତା ଯାଞ୍ଚ କରିବା ନୁହେଁ, ବରଂ ଯେଉଁ ତଥ୍ୟ ହସ୍ତଗତ ହୋଇଛି, ସେଥିରୁ ଏହା ଧର୍ତ୍ତବ୍ୟ ଅପରାଧ କି ନୁହେଁ ତାହା ସ୍ଥିର କରିବା। ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହୋଇଥିବା କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀର ମାମଲାରେ ପ୍ରାଥମିକ ତଦନ୍ତର ଆବଶ୍ୟକତା ରହିଥାଏ। କିନ୍ତୁ ସବୁ କ୍ଷେତ୍ରରେ ମାମଲା ରୁଜୁ ପୂର୍ବରୁ ପ୍ରାଥମିକ ତଦନ୍ତ କରାଯିବା ଏକ ବାଧ୍ୟତାମୂଳକ ଆବଶ୍ୟକତା ନୁହେଁ।