ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ

‘ବଜେଟ୍‌ ପାଇଁ ୧୨ ହଜାର ଲୋକ ଦେଇଛନ୍ତି ମତାମତ’

ରାଜ୍ୟରେ ଆସନ୍ତା ୨୫ ତାରିଖରେ ଆସିବ ବିଜେପି ସରକାରଙ୍କ ପ୍ରଥମ ବଜେଟ । ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ । ମୋହନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଆଜି ବସିଥିଲା ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ବର୍ଗର ୮୦ରୁ ଅଧିକ ବିଶେଷଜ୍ଞ ସାମିଲ ହୋଇଥିଲେ । ୨୦୨୪-୨୫ ବଜେଟ୍ ରୂପରେଖ ପ୍ରସ୍ତୁତ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ, ପଞ୍ଚାନନ କାନୁନଗୋ, ଶଶୀଭୂଷଣ ବେହେରା, ପୂର୍ବତନ ଅର୍ଥ ସଚିବ ଗଣ, RB ର ଆଞ୍ଚଳିକ ନିର୍ଦ୍ଦେଶକ, ନାବାର୍ଡ ଜେନେରାଲ ମ୍ୟାନେଜର ପ୍ରମୁଖ ବିଭିନ୍ନ କ୍ଷେତ୍ରର ପ୍ରାୟ ୨୬ ଜଣ ବିଶିଷ୍ଠ ବ୍ୟକ୍ତି ସେମାନଙ୍କ ମତାମତ ଦେଇଥିଲେ ।

ବୈଠକ ପରେ ଗଣମାଧ୍ୟମକୁ ନିଜର ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ପ୍ରଥମରୁ ହିଁ ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ବ ଦେଇ ଆସୁଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗାମୀ ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ । ଏଥିପାଇଁ ଅନଲାଇନ ଜରିଆରେ ଲୋକଙ୍କ ମତାମତ ସଂଗ୍ରହ କରିଥିଲୁ । ଏଥିରେ ଆମେ ପ୍ରାୟ ୧୨ ହଜାରରୁ ଅଧିକ ମତାମତ ପାଇଛୁ । ପୂର୍ବ ବର୍ଷ ଅପେକ୍ଷା ଏହା ପ୍ରାୟ ଛଅ ଗୁଣ ଅଧିକ । ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ଲୋକଙ୍କ ଏପରି ବ୍ୟାପକ ଅଂଶ ଗ୍ରହଣ ଆମ ପାଇଁ ଖୁବ୍ ଉତ୍ସାହଜନକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ସେ ଆହୁରି କହିଥିଲେ ଯେ, ଆମର ବଜେଟ୍ ଯେପରି ବାସ୍ତବରେ ‘ଲୋକଙ୍କ ବଜେଟ୍’ ଭାବରେ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି ।