ଜେଏସଡବଲ୍ୟୁ ସହ ମିଳିତ ଭାବେ ପୋସ୍କୋ ନିର୍ମାଣ କରିବ ଷ୍ଟିଲ ପ୍ଲାଣ୍ଟ
ପୁଣି ଓଡ଼ିଶା ପାଇଁ ଆଶା ଆଣିଲା ପୋସ୍କୋ । ଜେଏସଡବଲ୍ୟୁ ସହ ମିଳିତ ଭାବେ ନିର୍ମାଣ କରିବ ଷ୍ଟିଲ ପ୍ଲାଣ୍ଟ। ଏନେଇ ଦକ୍ଷିଣ କୋରିଆର ପୋସ୍କୋ ଗ୍ରୁପ ସହ ଏମଓୟୁ ସ୍ବାକ୍ଷର କରିଛି ଜେଏସଡବଲ୍ୟୁ। ଷ୍ଟିଲ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୬ ମିଲିୟନ ଟନ ରହିବ ବୋଲି ମିଳିତ ବିବୃତିରେ ସୂଚନା ଦିଆଯାଇଛି । ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ ଉଭୟ ସଂସ୍ଥାର ୫୦ପ୍ରତିଶତ ଭାଗିଦାରୀ ରହିବ। ମୁମ୍ବାଇରେ ପୋସ୍କୋ ହୋଲଡିଂସର ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ଲି- ଜୁ ଟାଇ ଓ ଜେଏସଡବଲ୍ୟୁର ସିଇଓ ଜୟନ୍ତ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଏହି ହେଡସ ଅଫ ଏଗ୍ରିମେଣ୍ଟ ସ୍ବାକ୍ଷରିତ ହୋଇଛି। ଷ୍ଟିଲ ପ୍ଲାଣ୍ଟ କେଉଁଠି ନିର୍ମାଣ ହେବ ସ୍ଥିର ହୋଇନଥିବା ବେଳେ ଓଡିଶାକୁ ପୁଣି ଥରେ ଜେଏସଡବଲ୍ୟୁ- ପୋସ୍କୋ ଫେରିବା ସମ୍ଭାବନା ବଢିଛି ।
ପ୍ରାୟ ଦୁଇ ଦଶନ୍ଧି ତଳେ ଓଡ଼ିଶାର ଜଗତସିଂହପୁରରେ୧୨ ବିଲିୟନ ଡଲାରର ପୋସ୍କୋ ପ୍ରକଳ୍ପ ବାତିଲ ହୋଇଥିଲା। ୨୦୦୫ ମସିହାରେ ପୋସ୍କୋ ଭାରତରେ ସବୁଠାରୁ ବଡ଼ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବାକୁ ଘୋଷଣା କରିଥିଲା। କିନ୍ତୁ ଜମି ଅଧିଗ୍ରହଣ ସମସ୍ୟା ଓ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ୨୦୧୭ରେ ପୋସ୍କୋ ଏହି ପ୍ରକଳ୍ପକୁ ବାତିଲ କରିଥିଲା ।ତେବେ ୨୦୨୪ ଅକ୍ଟୋବରରେ ଦୁଇ କଂପାନୀ ମଧ୍ୟରେ ବାର୍ଷିକ ୫ମିଲିୟନ ଟନ ଷ୍ଟିଲ ଉତ୍ପାଦନ କରିବାକୁ ଏମଓୟୁ ହୋଇଥିଲା। ବର୍ତ୍ତମାନର ଏମଓୟୁରେ ବାର୍ଷିକ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରାଯାଇଛି।
ଓଡ଼ିଶାରେ ପ୍ରଚୁର ଲୁହା ପଥର ଓ କୋଇଲା ମହଜୁଦ ଥିବାରୁ ସମସ୍ତ ଅନୁଧ୍ୟାନ ପରେ ପ୍ରକଳ୍ପ ପାଇଁ ଓଡ଼ିଶା ସର୍ବୋତ୍କୃଷ୍ଟ ସ୍ଥାନ ଭାବେ ଚୟନ କରାଯାଇଥିବା କୁହାଯାଉଛି ।ଯଦି ଏହାକୁ ଅନୁମୋଦନ ମିଳେ, ତେବେ ଭାରତରେ ପୋସ୍କୋର ଏହା ପ୍ରଥମ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ଏବଂ ଜେଏସଡବଲ୍ୟୁର ସବୁଠାରୁ ବଡ଼ ଗ୍ରୀନଫିଲଡ ଭେଞ୍ଚର ହେବ । ଭାରତରେ ଷ୍ଟିଲର ଚାହିଦା ବାର୍ଷିକ ୯ରୁ ୧୦ ପ୍ରତିଶତ ହାରରେ ବଢୁଛି । ୨୦୨୩ରେ ଷ୍ଟିଲର ଚାହିଦା ବାର୍ଷିକ୧୨୦ ମିଲିୟନ ଟନ ରହି । ୨୦୪୭ ବେଳକୁ ଏହା ବାର୍ଷିକ ୪ଶହ ମିଲିୟନ ଟନକୁ ପ୍ରାୟ ୩ଗୁଣ ବୃଦ୍ଧି ପାଇବ ବୋଲି କୁହାଯାଇଛି ।
