ନୂଆବର୍ଷରେ ପିକ୍ନିକ୍ ସ୍ପଟଗୁଡ଼ିକୁ ଜଗିବେ ପୋଲିସ
ନୂଆବର୍ଷରେ ପିକ୍ନିକ୍ ସ୍ପଟଗୁଡ଼ିକୁ ଜଗିବେ ପୋଲିସ। ନୂଆ ବର୍ଷ ପାଇଁ ଏବେ ସମସ୍ତ ଦର୍ଶନୀୟ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି। ପର୍ଯ୍ୟଟନସ୍ଥଳ ଓ ପିକ୍ନିକ୍ ସ୍ପଟରେ ଅଘଟଣ ଘଟିବା ନଜିର ରହିଛି। ଏଥିପ୍ରତି ସଜାଗ ରହିବା ପାଇଁ ପୋଲିସ ମହାନିର୍ଦେଶକ (ଡିଜିପି) ୱାଇବି ଖୁରାନିଆ ସବୁ ଏସ୍ପିଙ୍କ ସହିତ କଥା ହୋଇଛନ୍ତି। ପିକ୍ନିକ୍ ସ୍ପଟରେ ପୋଲିସ ଫୋର୍ସ ମୁତୟନ ରଖିବା ପାଇଁ ଡିଜିପି ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଜଗିବା ପାଇଁ କୁହାଯାଇଛି। ଯେକୌଣସି ଅଘଟଣକୁ ଏଡ଼ାଇବା ଲାଗି ପ୍ରସ୍ତୁତ ରହିବା ଲାଗି ଡିଜିପି ସମସ୍ତ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ପିକ୍ନିକ୍ ସ୍ପଟ, ପର୍ଯ୍ୟଟନସ୍ଥଳୀ ଉପରେ ନଜର ରଖିବା ଲାଗି ଡିଜିପି କହିଛନ୍ତି। ଆଗକୁ ଜିରୋ ନାଇଟ ରହିଛି। ନୂଆବର୍ଷ ଉତ୍ସବ ମନାଇବା ଲାଗି ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମିବ। ଏହି ସମୟରେ ଗଣ୍ଡଗୋଳ ଘଟିବା ନଜିର ରହିଛି। ଏପରିକି ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବା ଆଶଙ୍କା ରହିଛି। ନିଶାସକ୍ତ ଅବସ୍ଥାର ଗାଡ଼ି ଚାଳନା ବୃଦ୍ଧି ପାଇବ। ଏଭଳି ଅଘଟଣକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ପାଇଁ ଡିଜିପିଙ୍କ ନିର୍ଦ୍ଦେଶ ରହିଛି।
