ଦୁର୍ଗାପୂଜା ପାଇଁ କମିସନରେଟ ପୋଲିସର ତୟାରି

ପୂଜା ପାଇଁ କଟକରେ ନିୟୋଜିତ ହେବେ ୫୫ ପ୍ଲାଟୁନ ଫୋର୍ସ !

ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି କମିସନରେଟ ପୋଲିସ । କାଲିଠାରୁ ଦୁର୍ଗାପୂଜା ଆରମ୍ଭ ହେଉ ଥିବାରୁ କଟକ ସହର ରେ ପୂଜା ତଥା ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ସମ୍ପର୍ଣ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି କଟକ କମିଶନରେଟ ପୋଲିସ। ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳା ସହ କରିବା ନିମନ୍ତେ ଆଜି କଟକ ଇଣ୍ଡୋର ଷ୍ଟାଡିଅମରେ ଏକ ପୋଲିସ ବ୍ରିଫିଙ୍ଗର ଆୟୋଜନ କରାଯାଇ ଥିଲା। ଏହି ବ୍ରିଫିଙ୍ଗରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ କଟକ ଡିସିପି ପିନାକ ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଦଶହରାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୋଲିସ କର୍ମଚାରୀ ମାନେ ଯୋଗ ଦେଇ ଥିଲେ।

ଚଳିତ ବର୍ଷ କଟକ ଦୁର୍ଗା ପୂଜା ପାଇଁ କଟକ ସହରରେ ମୋଟ 55 ପ୍ଲାଟୁନ ପୋଲିସ ଫୋର୍ସ, 636 ହୋମଗାର୍ଡ,8 ଶହରୁ ଉର୍ଦ୍ଧ କନେଷ୍ଟେବଳ, 140 ଜଣ ହାବିଲଦାର, 350 ସବ ଇନେସ୍ପେକ୍ଟର, 50 ରୁ ଉର୍ଦ୍ଧ ଇନିସପେକଟର, 34 ଜଣ DSP, 8 ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି ସୂଚନା ଦିଆ ଯାଇଛି। ଏହା ସହିତ 6 ଶହ ସିସିଟିଭି କୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ସହରର 32 ଟି ସ୍ଥାନରେ ପୋଲିସ ଏଡ଼ ପୋଷ୍ଟ କରାଯାଇଛି। ବିଶେଷକରି ସୁନା ଓ ରୁପା ମେଢ ମଣ୍ଡପ ଗୁଡିକରେ ସଶସ୍ତ୍ର ପୋଲିସ ମୁତୟନ ସହ ପୂଜା ମଣ୍ଡପର କର୍ମକର୍ତ୍ତା ସହିତ ସମନ୍ୱୟ ରଖିବା, ଦଶହରା ବୁଲିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ମଣ୍ଡପ ତଥା ମଣ୍ଡପ ବାହାରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦିଆଯିବ ପାଇଁ ନିର୍ଦେଶ ଦେଇଛନ୍ତି ପୋଲିସ କମିଶନର।