୨୦ରେ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ

୨୦ରେ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଏକ ବର୍ଷ ପୂରିଛି । ଜୁନ୍‌ ୧୨ରୁ ୨୦ତାରିଖ ପର୍ଯ୍ୟନ୍ତ ବର୍ଷ ପୂର୍ତ୍ତି ପାଳନ ହେଉଛି । ଏଥିପାଇଁ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କ ଗସ୍ତ ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ଼ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ସୁତ୍ରରୁ ଜଣାପଡ଼ିଛି । ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ କ୍ୟାବିନେଟ ମନ୍ତ୍ରୀଗଣ ଏବଂ ଜିଲା ସଭାପତିଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜୁନ୍‌ ୨୦ ଅପରାହ୍ଣ ୨ଟାରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରୁ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ।  ପ୍ରଥମେ ତ୍ରିରଙ୍ଗାଯାତ୍ରାରେ ସାମିଲ ହେବା ପରେ ସେଠାରୁ ରୋଡ୍‌ ଶୋ’ରେ ବାହାରିବେ।   ପରେ ପ୍ରଧାନମନ୍ତ୍ରୀ ମୋଦି ବର୍ଷ ପୂର୍ତ୍ତି ସଭାରେ ଉପସ୍ଥିତ ହୋଇ ମାଝୀଙ୍କ ସରକାରର ସଫଳତା ବଖାଣିବେ ।  ରାଜ୍ୟ ସରକାର ଏବଂ ବିଜେପି ସଙ୍ଗଠନ ପକ୍ଷରୁ ଏକବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି । ଏଥିପାଇଁ ଜନତା ମଇଦାନରେ ବ୍ୟାପକ ଭାବେ ପ୍ରସ୍ତୁତି ହୋଇଥିବାବେଳେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ, ବିଷୟବସ୍ତୁ ଡକ୍ୟୁମେଣ୍ଟାରୀ, ମହିଳା ସଶକ୍ତୀକରଣ, ନିଯୁକ୍ତି, ଯୁବ ବିକାଶ, ଆଦିବାସୀ କଲ୍ୟାଣ ଏବଂ କୃଷକ ପାଇଁ ହୋଇଥିବା ଯୋଜନାଗୁଡ଼ିକ ପ୍ରଦର୍ଶିତ କରାଯିବ ।