ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ ହେଲେ ୨୦ ପିଲା
କୁନି କୁନି ପ୍ରତିଭାବାନ ପିଲାଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୦ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପାଳିତ ହୋଇଯାଇଛି ବୀର ବାଲ୍ ଦିବସ । ଏହି ଅବସରରେ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଭାବାନ୍ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ଦିଆଯାଇଛି । ସାହସିକତା, କଳା, ସଂସ୍କୃତି, ବିଜ୍ଞାନ, ପରିବେଶ, ସମାଜସେବା ଏବଂ କ୍ରୀଡ଼ା ଭଳି ୬ଟି ବର୍ଗରେ ପିଲାମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ମୁର୍ମୁ ପୁରସ୍କାରପ୍ରାପ୍ତମାନଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, “ସମସ୍ତ ପିଲା ସେମାନଙ୍କ ପରିବାର, ସମାଜ ଏବଂ ସମଗ୍ର ଦେଶ ପାଇଁ ଗର୍ବ ଆଣିଛନ୍ତି । ତେଣୁ ପିଲାମାନଙ୍କ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ରାଷ୍ଟ୍ରପତି ।ଡିସେମ୍ବର ୨୬ କୁ ‘ବୀର ବାଲ୍ ଦିବସ’ ଭାବରେ ପାଳନ କରାଯାଏ । ଏହି ଅବସରରେ, ସାହସିକତା, କଳା, ସଂସ୍କୃତି, ବିଜ୍ଞାନ, ପରିବେଶ, ସମାଜସେବା ଏବଂ କ୍ରୀଡ଼ା ଭଳି କ୍ଷେତ୍ରରେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରୁଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ‘ଜାତୀୟ ଶିଶୁ ପୁରସ୍କାର’ରେ ସମ୍ମାନିତ କରାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୯, ୨୦୨୨ରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପୁତ୍ର ସାହିବଜାଦା ବାବା ଜୋରାୱର ସିଂହ ଏବଂ ବାବା ଫତେହ ସିଂହଙ୍କ ସହିଦ ସ୍ମୃତିରେ ଡିସେମ୍ବର ୨୬କୁ ‘ବୀର ବାଲ୍ ଦିବସ’ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ ।
