ମୋଦି ମୋଦି ନାରାରେ କମ୍ପିଲା ଜନପଥ

ମୋଦିଙ୍କ ମେଗା ରୋଡ୍ ସୋ’, ଜନପଥରେ ଜନସମୁଦ୍ର

ଜନପଥରେ ଜନସମୁଦ୍ର। ରାଜଧାନୀରେ ମୋଦି ଜୁଆର। ଜନପଥର ଦୁଇକଡ଼େ ଜମିଥିଲା ଜନତାଙ୍କ ଅସମ୍ଭବ ଗହଳି। ଲକ୍ଷାଧିକ ସଂଖ୍ୟାରେ ପିଲାଠୁ ବୟସ୍କ, ପୁରୁଷ ମହିଳା। ରାତି ୮ଟା ୪୦ ମିନିଟରେ ମେଗା ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ମାତାର ଜୟଧ୍ୱନି ଦେଇ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର। ମୋଦି ମୋଦି ନାରାରେ ପ୍ରକଂପିତ ହୋଇଥିଲା ପରିବେଶ। ସାଥିରେ ଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ବିଜେପି ପାର୍ଟି ଅଫିସରୁ ବାଣୀବିହାର ଛକ ଯାଏଁ। ଲୋକଙ୍କ ପାଇଁ ନିଅଣ୍ଟ ପଡ଼ିଥିଲା ପ୍ରାୟ ଅଢ଼େଇ କିଲୋମିଟର ରାସ୍ତା। ଜନପଥର ଦୁଇକଡ଼େ ପାଦ ରଖିବାକୁ ଜାଗା ନଥିଲା। କେବଳ ଭୁବନେଶୱର ନୁହେଁ, ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ଝଲକ ପାଇବା ପାଇଁ ବିଭିନ୍ନ ଜିଲ୍ଲାରୁ ଧାଇଁ ଆସିଥିଲେ ବହୁସଂଖ୍ୟକ ଲୋକ। ମୋଦିଙ୍କ ରୋଡ୍ ସୋ’ବେଳେ ସାରଥୀ ସାଜିଥିଲେ କିଛି ମହିଳା କର୍ମକର୍ତ୍ତା। ଯେଉଁମାନେ ମୋଦିଙ୍କ କାରକେଡ୍ ସହ ତାଳ ତାଳ ଦେଇ ଚାଲୁଥିଲେ। ସମ୍ବଲପୁରୀ ଶାଢ଼ୀ ପିନ୍ଧି ୧୪୦ ଜଣ ମହିଳା ସାମିଲ ହୋଇଥିଲେ ଏହି କାରକେଡରେ। ତା’ପୂର୍ବରୁ ହୁଳହୁଳି ସହ ମୋଦିଙ୍କୁ ଏମାନେ ସ୍ୱାଗତ କରିଥିଲେ।

କେବଳ ରାଜ୍ୟ ବିଜେପି ଶିବିର ନୁହେଁ, ମୋଦିଙ୍କ ପ୍ରଚାର ବେଳେ ଚରମ ସୀମାରେ ଥିଲା ଲୋକଙ୍କ ଉତ୍ସାହ। ବିଜେପି ଏଥର ଓଡ଼ିଆ ଅସ୍ମିତାକୁ ପ୍ରମୁଖ ନିର୍ବାଚନୀ ମୁଦ୍ଦା କରିଥିବା ବେଳେ, ମୋଦିଙ୍କ ରୋଡ୍ ସୋ’ରେ ବି ଦେଖିବାକୁ ମିଳିଥିଲା ଏହାର ଝଲକ। କେଉଁଠି ପାଇକଆଖଡ଼ା, ଘୋଡ଼ାନାଚ ତ ଆଉ କେଉଁଠି ଓଡ଼ିଶୀ ନୃତ୍ୟ। କେଉଁଠି ଶୁଭୁଥିଲା ଆହେ ନୀଳ ଶୈଳ ଗୀତ ତ ଆଉ କେଉଁଠି ରଙ୍ଗବତୀ ଗୀତରେ ଦୁଲୁକିଥିଲା ମଞ୍ଚ।ଓଡ଼ିଶାର କଳା ଓ ସଂସ୍କୃତି ସହ ବିଭିନ୍ନ ସ୍ଥାନରେ ଶୋଭା ପାଇଥିଲା ମୋଦି ସରକାରଙ୍କ ୧୦ ବର୍ଷ ସଫଳତାର ଗାଥା। ରୋଡ୍ ସୋ ବେଳେ ଜଣେ ଯୁବକଙ୍କ ହାତରେ ସୁନ୍ଦର ପେଣ୍ଟିଂ ଦେଖି, ନିଜ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହାକୁ ଗ୍ରହଣ କରିଥିଲେ ମୋଦି। ସେଥିରେ ଶ୍ରୀଜଗନ୍ନାଥଙ୍କ ସୁନାବେଶ ସହ ମୋଦିଙ୍କ ଆଳତିକୁ ଆଙ୍କିଥିଲେ ଏକ ଯୁବ ଚିତ୍ରକର।