ଓଡ଼ିଶାରେ ହେଭିୱେଟଙ୍କ ପ୍ରଚାର

ମେ’ ୬ରେ ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି

ଓଡ଼ିଶାରେ ହେଭିୱେଟଙ୍କ ପ୍ରଚାର । ୨୦୧୪ରେ ଗଡ଼ ହାତେଇବା ପାଇଁ ଲାଗିପଡିଛନ୍ତି ଜାତୀୟ ଦଳ ବିଜେପି-କଂଗ୍ରେସ । ମେ’ ୩ରେ ଆସିବେ ରାହୁଲ ଗାନ୍ଧି । ଏବଂ ମେ’ ୬ରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁର ଜନସଭାରେ ସମ୍ଭୋଧନ କରିବା ସହ ରୋଡ ସୋ କରିବା କାର୍ୟ୍ୟକ୍ରମ ରହିଛି । ବିଜେପି ସୂତ୍ରରୁ ଏହି ସୂଚନା ମିଳିଛି । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ପ୍ରଥମ ପର୍ୟ୍ୟାୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ନିର୍ବାଚନ ହେବ । ତେଣୁ ଶେଷ ମୁହୂର୍ତ୍ତରେ ମୋଦୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦଳ ନିଷ୍ପତ୍ତି ନେଇଛି । ଏହି କାର୍ୟ୍ୟକ୍ରମରେ ୪ଟି ଲୋକସଭା ଆସନର ପ୍ରାର୍ଥୀ ରହିବେ । ନିର୍ବାଚନ ଘୋଷଣା ହେବା ପରେ ଏହା ମୋଦୀଙ୍କ ପ୍ରଥମ କାର୍ୟ୍ୟକ୍ରମ ହୋଇଥିବାରୁ ତାଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଥମେ ଅମିତ ଶାହ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି ପ୍ରଚାର ପାଇଁ । ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମେ ୫ ତାରିଖରେ କଟକ ଆସୁଥିବା ସୂଚନା ମିଳିଛି । ଅନ୍ୟପଟେ ମେ ୩ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାୟଗଡାରେ ଜନସଭା କରି ପ୍ରଚାର କରିବା କାର୍ୟ୍ୟକ୍ରମ ରହିଛି । ମେ ୫ ତାରିଖ କିମ୍ବା ୯ ତାରିଖରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଭଦ୍ରା ନବରଙ୍ଗପୁର ଗସ୍ତରେ ଆସିବେ ବୋଲି ସୂଚନା ରହିଛି ।