ବିଜେଡିକୁ ମୋଦିଙ୍କ ସିଧା ନିଶାନା

୪ ଜୁନ ବିଜେଡିର ଏକ୍ସପାଏରୀ ଡେଟ: ନରେନ୍ଦ୍ର ମୋଦି

ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ ମୋଦି । ସଭାରେ ବିଜେପିକୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ‘ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି । ଜୁନ୍‌ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ । ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି । ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି । ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ୟ୍ୟ ଭାବେ ଉଭା ହୋଇଛି ।’ ସେ ଆହୁରି କହିଛନ୍ତି, ‘ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇଛି । ବିଜେପି ଯାହା କହେ, ତାହା କରି ଦେଖାଏ ମୋଦି । ଏଠାରେ ସରକାର ହେଲାପରେ ସମସ୍ତ ଘୋଷଣା କାର୍ୟ୍ୟକାରୀ ହେବ । ସମସ୍ତ ଘୋଷଣା କାର୍ୟ୍ୟକାରୀ କରିବା ମୋଦିର ଗ୍ୟାରେଣ୍ଟି ।’
‘ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି। ଓଡ଼ିଶାକୁ ମହାପ୍ରଭୁ ପ୍ରାକୃତିକ ସଂପଦରେ ଭରି ଦେଇଛନ୍ତି । ଏତେ ଧନୀ ଓଡ଼ିଶାର ଲୋକ କାହିଁକି ଗରିବ ରହିଛନ୍ତି । ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନେତାଙ୍କ ଲୁଟ୍‌ ଏହି ପାପ ପାଇଁ ଦାୟୀ। ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି ।’‘ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ । ମୋଦି ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି । ୧୦ ବର୍ଷରେ ଉପା ସରକାର ଓଡ଼ିଶାକୁ ୧ ଲକ୍ଷ କୋଟି ଦେଇଥିଲେ । ମୋଦି ୧୦ ବର୍ଷରେ ଓଡ଼ିଶାକୁ ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଦେଇଛନ୍ତି । କେବଳ ପଇସା ପଠାଇଲେ ହେବନି, ଭଲ ସରକାର ହେବା ତ ଦରକାର । ବିଜେଡି ସରକାର କେନ୍ଦ୍ର ଯୋଜନାରେ ନିଜ ଷ୍ଟିକର ଲଗାଇ ଲୁଟୁଛି ।’
‘ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି । ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି । ମୋଦି ମାଗଣା ଚାଉଳ ଦେଉଛି, ଏଠିକାର ସରକାର ସେଥିରେ ନିଜ ଫଟୋ ଛାପୁଛି । ନିଜେ କିଛି କରିନାହାନ୍ତି, ତେଣୁ ବେଇମାନୀ କରିବାକୁ ପଡୁଛି ।’‘ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି । ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି । ଲୋକଙ୍କୁ ଚିକିତ୍ସା ମିଳିନପାରିବାର ଦୋଷୀ ଏଠାର ବିଜେଡି ସରକାର । ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ । ତେଣୁ ଏଠାରେ ବିଜେପି ସରକାର ହେବା ବହୁତ ଜରୁରୀ । ଏଠା ବିଜେଡି ସରକାର ମହିଳାଙ୍କ ହିତକୁ ଗୁରୁତ୍ୱ ଦେଉନାହାନ୍ତି ।’
‘ମୁଁ ଓଡ଼ିଆରେ ଚିଠି ଲେଖିବି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ମୁଁ ନୁହେଁ । ବିଜେପି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ । ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବିଜେପି ସରକାର । ଓଡ଼ିଶାର ଝିଅକୁ ବିଜେପି ଦେଶର ସବୁଠାରୁ ବଡ଼ ପଦବୀ ଦେଇଛି । ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡ଼ିଶା ପାଇଁ ବହୁତ କିଛି କରିବି । ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ଏ ପୁଅ ଓଡ଼ିଶା ପାଇଁ ବହୁତ କିଛି କରିବ । ଓଡ଼ିଆ ସଂସ୍କୃତି ପ୍ରତି ସମର୍ପିତ ବିଜେପିର ମୁଖ୍ୟମନ୍ତ୍ରୀ ବନିବ । ଓଡ଼ିଶାର ଯୁବକଙ୍କ ମଧ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ । ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍‌ କରିବୁ । ଯେଉଁଠି ବିଜେପିକୁ ସୁଯୋଗ ମିଳିଛି, ସେଠି ବିକାଶ ଗତିଶୀଳ ହୋଇଛି ।’