ପୁରୀରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି !

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ପ୍ରସ୍ତୁତି ଆରମ୍ଭ କଲେଣି ବିଜେଡି, ବିଜେପି ଓ କଂଗ୍ରେସ। କଂଗ୍ରେସର ଶୀର୍ଷ ନେତାଙ୍କ ଓଡ଼ିଶା ଗସ୍ତ ପରେ ଏବେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି । ଜଣେ ପରେ ଜଣେ ବରିଷ୍ଠ ନେତା ଓଡ଼ିଶା ଆସୁଛନ୍ତି । ଏଥର ବିଜେପି ଫୋକସରେ ରହିଛି ଓଡ଼ିଶା । କିଛି ପୂର୍ବରୁ ପ୍ରଧାନମନ୍ତ୍ରୀ ଆସିଥିଲେ । ଏବେ ପୁଣି ଥରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୭ କିମ୍ବା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିପାରନ୍ତି । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ବଡ ଦାଣ୍ଡରେ କରିବେ ରୋଡ ସୋ । ପରେ ଚଣ୍ଡିଖୋଲରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି। ତେବେ ଖୁବଶୀଘ୍ର ଚୂଡ଼ାନ୍ତ ତାରିଖ ନିର୍ଦ୍ଧାରଣ ହେବ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରି ଏହି ସୂଚନା ଦେବା ସହ ମନମୋହନ ଆହୁରି କହିଛନ୍ତି, ଘରେ ଘରେ ମୋଦିଙ୍କ ଗ୍ୟାରେଣ୍ଟି ପହଞ୍ଚିବା ସହ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଦଳୀୟ କର୍ମୀ ଲୋକଙ୍କୁ ଅବଗତ କରିବେ। ଆସନ୍ତା ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସିବାର କାର୍ୟ୍ୟକ୍ରମ ରହିଛି। ଏହିଦିନ ନବରଙ୍ଗପୁର, ଗଂଜାମ ଓ ମୟୁରଭଞ୍ଜରେ ଦଳୀୟ କାର୍ୟ୍ୟକ୍ରମରେ ରାଜନାଥ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।