ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଦିଗରେ ମୋଦୀଙ୍କର ଅସାଧାରଣ ଉଦ୍ୟମ ଏବଂ ପାରସ୍ପରିକ ସାଂସ୍କୃତିକ ଓ ଧାର୍ମିକ ଐତିହ ସୁଦୃଢ଼ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଲଙ୍କା ସରକାରଙ୍କ ଦ୍ବାରା ଦେଶର ସର୍ବୋଚ୍ଚ ସମ୍ମାନ ‘ମିତ୍ର ବିଭୂଷଣ’ ପ୍ରଦାନ କରାଯାଇଛି। ମୋଦୀ ଏବେ ଶ୍ରୀଲଙ୍କା ଗସ୍ତରେ ଥିବାବେଳେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିବାପରେ ମୋଦୀ କହିଛନ୍ତି, ‘ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କ ପାଇଁ ଏବଂ ଏହା ଏକ ଗୌରବର ମୁହୂର୍ତ୍ତ।ଭାରତ-ଶ୍ରୀଲଙ୍କା ଲୋକଙ୍କ ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଗଭୀର ବନ୍ଧୁତାକୁ ଏହା ଦର୍ଶାଉଛି। ଏଥିପାଇଁ ମୁଁ ଶ୍ରୀଲଙ୍କା ରାଷ୍ଟ୍ରପତି, ଶ୍ରୀଲଙ୍କା ସରକାର ଏବଂ ଶ୍ରୀଲଙ୍କା ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମୋଦୀ କହିଛନ୍ତି, ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ରାଷ୍ଟ୍ରପତି ଭାବେ ଶପଥ ନେବାପରେ ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିଥିଲେ ଏବଂ ମୋର ବର୍ତ୍ତମାନର ଗସ୍ତ ଆମ ସମ୍ପର୍କର ଗଭୀରତାକୁ ପ୍ରତିଫଳିତ କରୁଛି। ଭାରତ ସବୁ ଜଟିଳ ସମୟରେ ତଥା କରୋନା ମହାମାରୀ ଏବଂ ୨୦୧୯ ବୋମା ବିସ୍ଫୋରଣ ସମୟରେ ଶ୍ରୀଲଙ୍କା ସହ ଦୃଢ଼ ଭାବେ ରହିଥିବା ମୋଦୀ କହିଛନ୍ତି।