ତିନୋଟି ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ
ତିନୋଟି ଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନାଇଜେରିଆରେ ପହଞ୍ଚିଛନ୍ତି । ନାଇଜେରିଆ ରାଜଧାନୀ ଆବୁଜାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଦୀର୍ଘ ୧୭ ବର୍ଷ ପରେ ଏହି ପଶ୍ଚିମ ରାଷ୍ଟ୍ର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆବୁଜାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଭାରତୀୟ ସମୁଦାୟ । ନାଇଜେରିଆର ପାରମ୍ପରିକ ନୃତ୍ୟ ବାଦ୍ୟରେ ମୋଦିଙ୍କୁ ସ୍ବାଗତ କରାଯାଇଥିଲା । ମୋଦି ମୋଦି ନାରାରେ କମ୍ପିଥିଲା ନାଇଜେରିଆର ଆବୁଜା ଅଞ୍ଚଳ । ମରାଠୀ ସମୁଦାୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ସମସ୍ତ ଭାରତୀୟ ସମୁଦାୟଙ୍କୁ ଭେଟି ହାତ ମିଳାଇବା ସହ କିଛି ସମୟ ବାର୍ତ୍ତାଳପ କରିଥିବା ଦେଖିବାକୁ ମିଳିଥିଲା ।
ଆଜି ନାଇଜେରିଆ ରାଷ୍ଟ୍ରପତି ଟିନୁବୁଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୂତ ଲାଗି ବୈଠକ ହେବ । ଏହାପରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ନାଇଜେରିଆରେ ୧୫୦ରୁ ଅଧିକ ଭାରତୀୟ କମ୍ପାନୀ ବ୍ୟବସାୟିକ କାରବାର କରୁଛନ୍ତି । ସେଠାରେ ମୋଟ ନିବେଶ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ । ତେଣୁ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଦୀର୍ଘ ୧୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନାଇଜେିଆ ଗସ୍ତ । ମୋଦିଙ୍କ ପୂର୍ବରୁ ତତକାଳୀ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉକ୍ତ ଦେଶ ଗସ୍ତ କରିଥିଲେ । ନାଇଜେରିଆ ଗସ୍ତ ପରେ ପ୍ରଧାନମନ୍ତ୍ରୀ ବ୍ରାଜିଲ ଓ ପରେ ଗୁୟାନା ଗସ୍ତ କରିବେ । ବ୍ରାଜିଲରେ ଜି-୨୦ ସମ୍ମିଳନୀରେ ଭାଗ ନେବେ । ଗସ୍ତରେ ଶେଷ ପର୍ୟ୍ୟାୟରେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଗୁୟାନା ଯିବେ । ୫୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ଗସ୍ତ ହେବ ।