ଥାନା ପୋଡି ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୨୪କୁ ବୃଦ୍ଧି

ଫିରିଙ୍ଗିଆ ଥାନା ପୋଡି ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାପି ଓରଫ ବିଶ୍ୱରଂଜନ କହଁର ଗିରଫ । ପୁଲିସ ଫୁଲବାଣୀ ସହରରୁ ତାଙ୍କୁ ଗିରଫ କରିଥିବା ତଦନ୍ତକାରୀ ଅଧିକାରୀ DSP କମଳାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି। ବିଶ୍ୱରଂଜନ ଫିରିଙ୍ଗିଆର ପୂର୍ବତନ ସରପଞ୍ଚ ଥିଲେ। ବିଶ୍ୱରଂଜନଙ୍କୁ ମିଶାଇ ଘଟଣାରେ ମୋଟ ୨୪ ଜଣଙ୍କୁ ଗିରଫ କରାଯାଇଥିବା ତଦନ୍ତକାରୀ ଅଧିକାରୀ DSP କହିଛନ୍ତି। ବିଶ୍ୱରଞ୍ଜନ ଲୋକଙ୍କୁ ଉସୁକାଇ ଏହି କାଣ୍ଡ ଭିଆଇଥିବା ନେଇ ଅଭିଯୋଗ ହୋଇଥିଲା। ଗତ ୫ ତାରିଖରେ ଗଞ୍ଜେଇ ଚାଲାଣରେ ପୁଲିସର ସଂପୃକ୍ତି ଅଭିଯୋଗ ଆଣି ଲୋକେ ରାସ୍ତାରୋକ କରିଥିଲେ। ଏହି ଘଟଣାରେ ଫିରିଙ୍ଗିଆ ଥାନାର ନିଲମ୍ବିତ ଆଇଆଇସି ଓ କାର୍ଯ୍ୟରୁ ଅନ୍ତର ହୋଇଥିବା ଦୁଇ କନଷ୍ଟେବଲଙ୍କ ସଂପୃକ୍ତି ଥିବା ଲୋକେ ଅଭିଯୋଗ କରିଥିଲେ। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବା ପରେ ଫୁଲବାଣୀ ଏସ୍‌ଡିପିଓ ସେମାନଙ୍କୁ ବୁଝାସୁଝା କରିବାକୁ ପହଞ୍ଚିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଠେଲାପେଲା କରିଥିଲେ। ଏସ୍‌ଡିପିଓଙ୍କ ସେମତ ଅନ୍ୟ ପୁଲିସ୍ କର୍ମଚାରୀଙ୍କୁ ଲୋକେ ଆକ୍ରମଣ କରିଥିଲେ। ଏପରିକି ଥାନାରେ ପଶି ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଥାନା ପରିସରରେ ଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଭାଙ୍ଗାରୁଜା କରିବା ସହିତ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।