ଫିରିଙ୍ଗିଆ ଥାନାର ଦୁଇ ହୋମଗାର୍ଡ ସସପେଣ୍ଡ

କାଲି ଥାନାରେ ନିଆଁ, ଆଜି ବଦଳିଲେ ଆଇଆଇସି

ଗଞ୍ଜେଇ ଚାଲାଣରେ ପୁଲିସର ସଂପୃକ୍ତି ଅଭିଯୋଗ । ଶନିବାର ଫିରିଙ୍ଗିଆ ଥାନାରେ ଲୋକେ ନିଆଁ ଲଗାଇ ଦେବା ସହ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ବେଳେ ଆଇଆଇସି ତପନ କୁମାର ନାହାକଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି । କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଏହି ସୂଚନା ଦେଇଛନ୍ତି । ଏସ୍‌ପି କହିଛନ୍ତି, ଥାନାରେ ନିଆଁ ଲଗାଇବା ତଥା ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପାଖାପାଖି ୩୦ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫/୧୬ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ସେମାନଙ୍କୁ ଗିରଫ କରିବାକୁ ପ୍ରକ୍ରିୟା ଚାଲିଛି। ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଫିରିଙ୍ଗିଆ ଥାନା ଆଇଆଇସି ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ ଗଞ୍ଜେଇ ଚାଲାଣ ନେଇ ଆସିଥିବା ଅଭିଯୋଗ ସଂପର୍କରେ ଏସ୍‌ପି କହିଛନ୍ତି ଯେ ଏହାର ତଦନ୍ତ ଚାଲିଛି। କିନ୍ତୁ ଏନେଇ ଆମକୁ କେହି କିଛି ପ୍ରମାଣ ଦେଇ ନାହାନ୍ତି। ଯେଉଁ ଭିଡିଓ କଥା କୁହାଯାଉଛି, ତାହା ମଧ୍ୟ ଆମର ହସ୍ତଗତ ହୋଇନାହିଁ। ଅଭିଯୋଗ ଆଧାରରେ ଆମେ ଘଟଣାର ତଦନ୍ତ କରୁଛୁ।