ଏଏସଆଇକୁ ଲେଜର ସ୍କାନିଂ ପାଇଁ ମିଳିଲା ଅନୁମତି

ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ

ଶ୍ରୀମନ୍ଦିରର ରତ୍ନଭଣ୍ଡାରର  ହେବ ଲେଜର ସ୍କାନିଂ । ଏନେଇ ଏଏସଆଇକୁ ଅନୁମତି ଦିଆଯାଇଛି । ପରିଚାଳନା ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏନେଇ ତଥ୍ୟ ରଖିଛନ୍ତି । ପରିଚାଳନା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଲେଜର ସ୍କାନିଂ ପାଇଁ ଏଏସଆଇ ଅନୁମତି ମାଗିଥିଲା। ଏଏସ୍‌ଆଇର ପ୍ରସ୍ତାବକୁ ତର୍ଜମା କରାଯିବା ପରେ ଶ୍ରୀମନ୍ଦିରର ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯାଇଛି । ଏବେ କାର୍ତ୍ତିକ ବ୍ରତ ଚାଲୁଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କର ଭିଡ଼ ରହୁଛି । ତେଣୁ ଭିଡ଼କୁ ଦୃଷ୍ଟିରେ ରଖି ଲେଜର ସ୍କାନିଂ ପାଇଁ ଏଏସଆଇ ନିଷ୍ପତ୍ତି ନେବ। ଆସନ୍ତା ୨୮ ତାରିଖ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିବ । ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ । ସେହିଭଳି ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସରିବ ବୋଲି ସେ କହିଛନ୍ତି ।