‘ତହସିଲରେ ଚଳିବନି ପିସି କାରବାର, ପ୍ରମାଣ ମିଳିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ’
ପିସି କାରବାର କିମ୍ବା ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ହୋଇ ଯାଆନ୍ତୁ ସାବଧାନ। ପ୍ରମାଣ ମିଳିଲେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ପୁରୁଣା ଦୁର୍ନୀତିର ମଧ୍ୟ ପ୍ରମାଣ ମିଳିଲେ ଆକ୍ସନ ନିଆଯିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ମନ୍ତ୍ରୀ ଆଜି ଅଚାନକ ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟ ପରିଦର୍ଶନରେ ଆସି ସାଧାରଣ ଲୋକ, ଓକିଲ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତହସିଲରେ କିଭଳି କାର୍ଯ୍ୟ ହେଉଛି, କିପରି ଲୋକେ ସେବା ପାଉଛନ୍ତି , ଅଭିଯୋଗ ନେଇ ମଧ୍ୟ ଆଲୋଚନା କରିଥିଲେ ମନ୍ତ୍ରୀ । ଖୁବଶୀଘ୍ର ଭୂମି, ଘର, ଜାତି ଭଳି ପ୍ରମାଣପତ୍ର ଆବେଦନ ଓ ମିଳିବା ନେଇ ସମୟସୀମା ଧାର୍ଯ୍ୟ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ସାଧାରଣ ଲୋକେ ଯେପରି ତହସିଲ କାର୍ଯ୍ୟାଳୟରେ ହଇରାଣ ନହେବ ଏବଂ ସୁବିଧାରେ ସେବା ପାଇପାରିବେ ସେନେଇ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଅଭିଯୋଗ ଏବଂ ବ୍ୟବସ୍ଥା ନେଇ ଯଦି କୌଣସି ଭଲ ଉପାୟ ଥିଲେ ମନ୍ତ୍ରୀଙ୍କୁ ସିଧାସଳଖ ଭେଟି ଜଣାଇବାକୁ କହିଛନ୍ତି ମନ୍ତ୍ରୀ।