ବଜାରରେ ୫୦ ପାର୍ କଲାଣି ଆଳୁ ରେଟ୍
ଓଡ଼ିଶାକୁ ଘାରିଛି ଆଳୁ ଚିନ୍ତା । ଆକାଶ ଛୁଆଁ ଆଳୁ ଦାମ୍ । ବଜାରରେ ୫୦ ପାର୍ କଲାଣି ଆଳୁ ରେଟ୍ । ଆଳୁର ଅଭାବ ମଧ୍ୟ ଦେଖାଦେଇଛି । କାରଣ ରାଜ୍ୟକୁ ଆସୁନି ଆଳୁ । ପଶ୍ଚିମବଙ୍ଗରୁ ଆସୁଥିବା ଶତାଧିକ ଆଳୁ ବୋଝେଇ ଟ୍ରକକୁ ଓଡ଼ିଶା ସୀମାରେ ଅଟକାଇଥିଲା ପଶ୍ଚିମବଙ୍ଗ ପୋଲିସ । ଆଳୁ ମୂଲ୍ୟ ବୃଦ୍ଧି ପରେ ମମତା ସରକାର ସୀମାରୁ ଆଳୁ ବୋଝେଇ ଟ୍ରକକୁ ବି ଫେରାଇ ନେଇଛନ୍ତି । ଅନ୍ୟପଟେ ଆଳୁ ମୂଲ୍ୟ ବୃଦ୍ଧି ପରେ ଆକସନ ମୋଡରେ ଆସିଥିବା ରାଜ୍ୟ ସରକାର ଗୋଦାମରେ ଚଢଉ କରିବା ସହ କାର୍ୟ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ତାସହ ୟୁପିରୁ ଆଳୁ ଆଣିବାକୁ ଯୋଜନା ଥିବା କହିଛନ୍ତି ମନ୍ତ୍ରୀ । ରାସ୍ତାରେ ଠିଆ ହୋଇଛନ୍ତି ଶହ ଶହ ଟ୍ରକ । କଡା ଯାଞ୍ଚ କରୁଛି ପଶ୍ଚିମବଙ୍ଗ ପୋଲିସ ।
ଗୁରୁବାର ରାତିରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସୋନାକଣିଆରେ ଲମ୍ବା ଲାଇନରେ ଠିଆ ହୋଇଛନ୍ତି ଶହ ଶହ ସଂଖ୍ୟାରେ ଆଳୁ ବୋଝେଇ ଟ୍ରକ । ପଶ୍ଚିମବଙ୍ଗରୁ ଆଳୁ ନେଇ ଏହି ଟ୍ରକ ଗୁଡିକ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁକୁ ଯାଉଥିଲେ । ହେଲେ ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶ ପରେ ଏଗୁଡିକୁ ଅଟକାଇ ରଖିଛି ସେଠାକାର ପୋଲିସ । ପଶ୍ଚିମବଙ୍ଗରେ ଆଳୁ ମୂଲ୍ୟ ବୃଦ୍ଧି ଯୋଗୁଁ ବାହାର ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେଠାକାର ସରକାର । ଫଳରେ ଲକ୍ଷ୍ମଣନାଥ ଓ ସୋନାକଣିଆ ଟୋଲ ଗେଟରେ ଠିଆ ହୋଇଥିବା ଶହ ଶହ ଆଳୁ ବୋଝେଇ ଗାଡିକୁ ମମତା ସରକାର ଫେରାଇ ନେଇଛନ୍ତି । ଏପଟେ ଆବଶ୍ୟକ ମାତ୍ରାରେ ଆଳୁ ନ ଆସିବା ଯୋଗୁଁ ଓଡିଶା ବଜାରରେ ଏହାର ପ୍ରଭାବ ବହୁଳ ଭାବରେ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆଳୁର ଦର କିଲୋ ପିଛା ୪୦ରୁ ୫୦ ଟଙ୍କାକୁ ବଢି ଯାଇଛି । ଯଦିଓ ସରକାର କହୁଛନ୍ତି ୭ ଦିନ ପାଇଁ ଆଳୁ ଗଚ୍ଛିତ ଅଛି, ହେଲେ ସବୁଠି ସ୍ଥିତି ସଂଗୀନ । କାହିଁକି ନା ଯେଉଁଠି ଦିନକୁ ୬ ରୁ ୭ ଆଳୁ ବୋଝେଇ ଗାଡି ଲାଗୁଥିଲା ଆଜି ସେଠି ଜମା ଗାଡି ନାହିଁ । ତେଣୁ ବ୍ୟବସାୟୀ ବି କହୁଛନ୍ତି ସେମାନେ ୪୦ ରେ କିଣୁଛନ୍ତି. ଯେଉଁଥି ପାଇଁ ୪୫ ରୁ ଅଧିକ ଦାମରେ ବିକିବାକୁ ସେମାନେ ବାଧ୍ୟ ହେଉଛନ୍ତି । ପଶ୍ଚିମବଙ୍ଗ ଆଳୁ ନଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବାକୁ ଯେ୍ଧକ୍ସନା କରାଯାଉଛି ବୋଲି ରାଜ୍ୟ ସରକାର କହିଛନ୍ତି ।