ଦୁର୍ଘଟଣା ପରେ ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ୧୦ ମୃତ
ଆନ୍ଧ୍ରପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଆନ୍ଧ୍ରପ୍ରଦେଶର ମାର୍କାପୁରମର ରାୟାବରମ ନିକଟରେ ଏକ ଘରୋଇ ଟ୍ରାଭେଲ ବସ୍ ଏବଂ ଏକ ଟିପର୍ ଟ୍ରକ୍ ସହିତ ଧକ୍କା ହୋଇଛି । ଫଳରେ ବସଟିରେ ନିଆଁ ଲାଗି ଜଳି ପାଉଁଶ ହୋଇଯାଇଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ।ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ମାର୍କାପୁର ଜିଲ୍ଲାର ରାୟଭରମ୍ ନିକଟସ୍ଥ ଖଣି ନିକଟରେ ଏକ ଘରୋଇ ବସ୍ ଏବଂ ଟିପ୍ପର ଟ୍ରକ୍ ମଧ୍ୟରେ ଏକ ବଡ଼ ଧକ୍କା ହୋଇଥିଲା । ବସ୍ ଟି ତେଲେଙ୍ଗାନାର ନିର୍ମଳରୁ ଆନ୍ଧ୍ରପ୍ରଦେଶର ନେଲୋରକୁ ଯାଉଥିଲାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଧକ୍କା ଏତେ ତୀବ୍ର ଥିଲା ଯେ ତୁରନ୍ତ ବସଟିରେ ନିଆଁ ଲାଗିଯାଇଥିଲା । ଫଳରେ ବସ ଭିତରେ ଥିବା ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟାଇଥିଲାବେଳେ ୨୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ।
