ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ନଛାଡିବାକୁ ନିର୍ଦ୍ଦେଶ

ଦିଲ୍ଲୀ ଗଲେ ପାଣ୍ଡିଆନ ଓ ବବି

ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭା ଆସନ ବୁଝାମଣାର ଫର୍ମୂଲା ଓ କିଏ କେଉଁ ଆସନରେ ଲଢ଼ିବେ ତାହା ଚୂଡ଼ାନ୍ତ କରିବା ନିମନ୍ତେ ବିଜେଡି ନିଜର ଦୁଇଜଣ ନେତା ଭିକେ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ଦିଲ୍ଲୀ ପଠାଇଛି । ସେଠାରେ ଗତକାଲିଠୁ ରହିଥିବା ରାଜ୍ୟ ବିଜେପି ନେତୃତ୍ୱ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପସ୍ଥିତିରେ ଏହି ଆସନ ବୁଝାମଣା ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଏକ ସ୍ୱତନ୍ତ୍ର ଚାର୍ଟର ପ୍ଲେନରେ ବିଜେଡି ନେତା ଶ୍ରୀ ପାଣ୍ଡିଆନ ଓ ବବି ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ସେମାନେ ଆଜି ରାତିରେ ବିଜେପିର ବରିଷ୍ଠ ନେତା(ଓଡ଼ିଶା ଦାୟିତ୍ୱରେ ଥିବା)ଙ୍କ ଘରେ ରାଜ୍ୟ ବିଜେପି ନେତାମାନଙ୍କ ସହ ଆସନ ବୁଝାମଣାକୁ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଆଜି ପୂର୍ବାହ୍ନରେ ବିଜେପିର ରାଜ୍ୟ ନେତୃତ୍ୱମାନଙ୍କ ଏକ ବୈଠକ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଘରେ ଅନୁଷ୍ଠିତ ହୋଇଥିଲା । ଗତକାଲି ବିଜେପିର ରାଜ୍ୟ ନେତୃତ୍ୱଙ୍କ ସହ ମଧ୍ୟ କେନ୍ଦ୍ରୀୟ କୋର କମିଟି ବୈଠକ ବସି ସମ୍ଭାବ୍ୟ ମେଂଟ ସମ୍ପର୍କରେ ଅବଗତ କରାଯାଇଥିଲା । ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ନଛାଡିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । କୌଣସି ବି ମୁହୁର୍ତରେ ବଡ ଘୋଷଣା ହୋଇପାରେ ।