ମାର୍ଚ୍ଚ ୫ ନୁହେଁ, ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ
ବିଜେଡି ଶାସନରେ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ଏହାକୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଉଥିଲା। ହେଲେ ସାରା ଦେଶରେ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ରାଜ୍ୟରେ ସରକାର ବଦଳିବା ପରେ ବିଜେଡି ସରକାରର ନିୟମକୁ ହଟାଇ ଦିଆଯାଇଛି। ଏଣିକି ଏପ୍ରିଲ ୨୪ରେ ଓଡ଼ିଶାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ଏହି ଅସଂହତି ଦୂର କରିବା ପାଇଁ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରା ନଯାଇ ଏପ୍ରିଲ ୨୪ ତାରିଖରେ ପାଳନ କରାଯିବ। ଏହି ଦିନ ଲୋକସେବା ଦିବସ ମଧ୍ୟ ପାଳନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ପ୍ରତି ବର୍ଷ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯାଇଥାଏ। ସେହିପରି ମାର୍ଚ୍ଚ ୫ ତାରିଖ ହେଉଛି ଓଡ଼ିଶାର ମହାନ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହାକୁ ରାଜ୍ୟ ସରକାର ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
