ବଢିଲା ପଞ୍ଚାୟତ ପ୍ରତିନିଧିଙ୍କ ପାରିତୋଷିକ

ବଢିଲା ସରପଞ୍ଚଙ୍କ ଦରମା

ବଢିଲା ସରପଞ୍ଚଙ୍କ ଦରମା। ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ବଢିଲା ପାରିତୋଷିକ ଭତ୍ତା । ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି ହୋଇଛି ।ଏଣିକି ଜିଲ୍ଲା ପରିଷଦ ସଭାପତି ମାସିକ ପାଇବେ ୩୦ ହଜାର ଟଙ୍କା । ଏହା ସହ ଜିଲ୍ଲାପରିଷଦ ଉପସଭାପତି ମାସିକ ପାଇବେ ୨୦ ହଜାର ଟଙ୍କା । ଜିଲ୍ଲାପରିଷଦ ସଭ୍ୟ ମାସିକ ପାରିତୋଷିକ ୧୦ ହଜାରକୁ ବୃଦ୍ଧି କରାଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ ହଜାର ଟଙ୍କା । ସେହିପରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟ ପାଇବେ ୭ ହଜାର ୫୦୦ ଟଙ୍କା । ସରପଞ୍ଚ ମାସିକ ୨୩୫୦ ଟଙ୍କା ପାଉଥିବାବେଳେ ଏବେ ମାସିକ ପାଇବେ ୧୦ ହଜାର ଟଙ୍କା । ସେହିପରି ନାଏବ ସରପଞ୍ଚ ୯୪୦ ଟଙ୍କା ପାଉଥିଲେ । ଏବେ ମାସକୁ ପାଇବେ ୪ ହଜାର ଟଙ୍କା । ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ବରମାନଙ୍କ ଦୈନିକ ଭତ୍ତା ୨୪୦ ଟଙ୍କାରୁ ୪୮୦କୁ ବୃଦ୍ଧି କରାଯାଇଛି । ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ୭୯ କୋଟି ୮୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ବର୍ଦ୍ଧିତ ରାଶି ଅନୁଯାୟୀ ଏବେ ୨୪୨ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ସରକାର ଏଥିପାଇଁ ୧୬୨ କୋଟି ୬୮ ଲକ୍ଷ ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ । ଖାଲି ସେତିକି ନୁହେଁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପଦବୀରେ ଥିବା ସମୟରେ ବିୟୋଗ ଘଟିଲେ ଅନୁକମ୍ପାମୂଳକ ସହାୟତା ରାଶି ବାବଦରେ ୨ ଲକ୍ଷ ଟଙ୍କା ମିଳିବ । ଏହା ସହିତ ଦୁର୍ଘଟଣାଜନିତ ପୂର୍ଣ୍ଣ ଅକ୍ଷମତା କ୍ଷେତ୍ରରେ ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ । ସେହିପରି ଆଶିଂକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ।