ଆଉ ଜଣେ ପାକିସ୍ତାନୀ ସ୍ପାଏ ସହଦେବ ସିଂହ ଗୋହିଲ ଗିରଫ

ଗୁଜରାଟରୁ ଧରାପଡ଼ିଲା ଆଉ ଜଣେ ଗୁପ୍ତଚର

ଗୁଜରାଟରୁ ଧରାପଡ଼ିଲା ଆଉ ଜଣେ ଗୁପ୍ତଚର। ପାକିସ୍ତାନକୁ ପଠାଉଥିଲା BSF-ଭାରତୀୟ ନୌସେନା ସଂପର୍କିତ ସୂଚନା। ଗୁଜରାଟର ସହଦେବ ସିଂହ ଗୋହିଲଙ୍କର ନାଁରେ ଅଭିଯୋଗ ହୋଇଛି। ସେ ବିଏସଏଫ୍ ଓ ଭାରତୀୟ ନୌସେନା ସହ ଜଡ଼ିତ ସୂଚନା ଜଣେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସେୟାର କରୁଥିବା ସୂଚନା ମିଳିଥିଲା। ସହଦେବ ସିଂହ ଗୋହିଲ କଚ୍ଛର ଜଣେ ମଲ୍ଟିପର୍ପସ ହେଲଥ୍ ୱାର୍କର। ମେ ୧ରେ ଗୋହିଲଙ୍କୁ ପ୍ରାରମ୍ଭିକ ଯାଞ୍ଚ ପାଇଁ ଡକାଯାଇଥିଲା ।

୨୦୨୩ ଜୁନ କିମ୍ବା ଜୁଲାଇରେ ହ୍ୱାଟ୍ସଆପରେ ଅଦିତି ଭରଦ୍ୱାଜ ନାମକ ମହିଳାଙ୍କ ସଂପର୍କରେ ଆସିଥିବା ଯାଞ୍ଚରୁ ଜଣାପଡ଼ିଥିଲା। ମହିଳା ଜଣକ ବିଏସଏଫ୍ ଓ ଭାରତୀୟ ନୌସେନାର ନିର୍ମାଣାଧୀନ ବା ନୂଆ ନିର୍ମିତ ସ୍ଥାନର ଫଟୋ ଓ ଭିଡ଼ିଓ ମାଗିଥିଲେ। ପରେ ସହଦେବ ହ୍ୱାଟ୍ସଆପ୍ ମାଧ୍ୟମରେ ଫଟୋ ଓ ଭିଡ଼ିଓ ସେୟାର କରିବା ଆରମ୍ଭ କରି ଦେଇଥିଲେ।

୨୦୨୫ ମସିହାର ଆରମ୍ଭରେ ଗୋହିଲ ନିଜର ଆଧାରକାର୍ଡର ବ୍ୟବହାର କରି ଏକ ସିମ୍ କାର୍ଡ କିଣିଥିଲେ ଏବଂ ଅଦିତି ଭରଦ୍ୱାଜଙ୍କ ବ୍ୟବହାର ପାଇଁ ସେହି ନମ୍ୱରରେ ହ୍ୱାଟ୍ସଆପ୍ ଆକାଉଣ୍ଟ ମଧ୍ୟ ଖୋଲିଥିଲେ। ଏହି ନମ୍ୱରରୁ ବିଏସଏଫ୍ ଓ ଆଇଏଏଫର ଭିତ୍ତିଭୂମି ସହ ଜଡ଼ିତ ଫଟୋ ଓ ଭିଡ଼ିଓ ସେୟାର କରାଯାଇଥିଲା। ଯାହାର ବ୍ୟବହାର ପାକିସ୍ତାନୀ ଏଜେଣ୍ଟ କରୁଥିଲେ। ଏଥିପାଇଁ ସହଦେବ ଗୋହିଲଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ୪୦ ହଜାର ଟଙ୍କା ଦେଇଥିବା ଏଟିଏସ ଏସପି କେ. ସିଦ୍ଧାର୍ଥ କହିଛନ୍ତି। ଗୋହିଲ ଓ ପାକିସ୍ତାନୀ ଏଜେଣ୍ଟଙ୍କ ବିରୋଧରେ ବିଏନଏସର ଧାରା ୬୧ ଓ ୧୪୮ ଅନୁସାରେ ମାମଲା ରୁଜୁ କରାଯାଇଛି।