ଶ୍ରୀମନ୍ଦିରରେ ପୁଣି ଆଦାୟ ହେବ ମାହାଲ

ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପାରମାଣିକ ଦର୍ଶନ

ପୁରୀ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡ଼ିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ ଦେୟ ଦେବାକୁ ପଡ଼ିବ । ରୋଷଘର ଦର୍ଶନ, ରୋହିଣୀ କୁଣ୍ଡରୁ ଜଳ ସଂଗ୍ରହ, କୋଇଲି ବୈକୁଣ୍ଠ ଦର୍ଶନ, ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ, ନରେନ୍ଦ୍ରରେ ସଂକଳ୍ପ କରିବା ଆଦି ଉପରେ ଦେୟ ଆଦାୟ ହେବ । ଶ୍ରୀମନ୍ଦିର ପ୍ରଶାସନ ଏହି ସ୍ଥାନରୁ କରୋନା ପରେ ମାହାଲ ଆଦାୟ ବନ୍ଦ କରିଦେଇଥିଲା । ଏବେ ଶ୍ରୀମନ୍ଦିର ପ୍ରଶାସନ ଏହି ତୀର୍ଥ ଓ ପବିତ୍ର ସ୍ଥଳ ଗୁଡ଼ିକୁ ଟେଣ୍ଡର କରି ମାହାଲ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ଏସଓପି ତିଆରି କରିବ । ପୂର୍ବରୁ କୋଭିଡ୍‌ ଓ ଅନ୍ୟାନ୍ୟ କାରଣରୁ ଶ୍ରୀମନ୍ଦିରର ମାହାଲ ସବୁ ଶୁଳ୍କମୁକ୍ତ କରାଯାଇଥିଲା । ଏବେ ପୁଣିଥରେ ଶୁଳ୍କ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି । ନରେନ୍ଦ୍ର ସଂକଳ୍ପ, ଲୁଣ-ପତ୍ର ମାହାଲ, ରୋଷଦର୍ଶନୀ ମାହାଲ, ରୋହିଣୀ କୁଣ୍ଡ, କୋଇଲି ବୈକୁଣ୍ଠ ଓ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ ବାବାଦକୁ ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଟେଣ୍ଡର୍‌ କରାଯିବ। ଟେଣ୍ଡର୍‌ରେ ସ୍ବତନ୍ତ୍ର ଏସ୍‌ଓପି ରହିବ। ଶୋଷଣମୁକ୍ତ ପରିବେଶ ପାଇଁ ଏହି ଏସ୍‌ଓପି ଲାଗୁ ହେବ। ଶ୍ରୀମନ୍ଦିରରେ କାମ କରୁଥିବା ସ୍ଥାୟୀ କର୍ମଚାରୀମାନେ ଆଗରୁ ଚିକିତ୍ସା ଭତ୍ତା ଓ ଔଷଧ ବାବଦକୁ ଖର୍ଚ୍ଚ ପାଉଥିଲେ । ଚିକିତ୍ସା ଭତ୍ତା ବାବଦକୁ ଦରମାର ୦.୬୫ ପ୍ରତିଶତ ଟଙ୍କା କର୍ମଚାରୀମାନେ ପାଉଥିଲେ ।